Categories: ଜାତୀୟ

ଖୁବ୍‌ଶୀଘ୍ର ଆୟୁଷ ଭିଜା

ଗାନ୍ଧୀନଗର, ୨୧ା୪: ପାରମ୍ପରିକ ଔଷଧ ଏବଂ ଆୟୁଷ ଉତ୍ପାଦଗୁଡ଼ିକ ମାଧ୍ୟମରେ ଚିକିତ୍ସା ପଦ୍ଧତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ନିମନ୍ତେ କେନ୍ଦ୍ର ସରକାର ଆୟୁଷ ଭିଜା ଆଣିବେ। ଏହା ଦ୍ୱାରା ପାରମ୍ପରିକ ଚିକିତ୍ସା ପଦ୍ଧତିର ଲାଭ ଉଠାଇବା ବିଦେଶୀ ନାଗରିକଙ୍କ ପାଇଁ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଆୟୋଜିତ ଗ୍ଲୋବାଲ ଆୟୁଷ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ୍‌ ଇନୋଭେଶନ ସମିଟ୍‌-୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଘୋଷଣା କରିଛନ୍ତି।
ଚିକିତ୍ସା ଟୁରିଜମ୍‌କୁ ପ୍ରୋତ୍ସାହିତ କରିବା ଦିଗରେ କେନ୍ଦ୍ରର ସ୍ବତନ୍ତ୍ର ଯୋଜନା ରହିଛି। ଔଷଧୀୟ ଚାରାରୋପଣ କରିଥିବା ଚାଷୀଙ୍କୁ ସଂଯୋଗ କରିବା ପାଇଁ ଏକ ଡିଜିଟାଲ ପୋର୍ଟାଲ ଖୋଲାଯିବା ସହ ଅନ୍ୟ ଟେକ୍ନୋଲୋଜି ସଂଲଗ୍ନ ରହିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। କୋଭିଡ୍‌-୧୯ ମହାମାରୀବେଳେ ଲୋକେ ବହୁଳ ମାତ୍ରାରେ ଆୟୁର୍ବେଦିକ୍‌ ପଦ୍ଧତିରେ ସ୍ବାସ୍ଥ୍ୟର ଯତ୍ନ ନେଇଥିଲେ। ତେଣୁ ଆୟୁଷ କ୍ଷେତ୍ରରେ ବିନିଯୋଗ ଓ ନୂତନତ୍ୱର ଅସୀମ ସମ୍ଭାବନା ରହିଛି। ଏହି ସେକ୍ଟରରେ ଯଥାସମ୍ଭବ ବିନିଯୋଗ କରିବାର ସମୟ ଉପନୀତ ବୋଲି ମୋଦି କହିଛନ୍ତି। ଏହି ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଅଧନୋମ୍‌ ଘେବ୍ରେୟସ୍‌, ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ, କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗୁଜରାଟର ଜାମ୍‌ନଗରଠାରେ ମଙ୍ଗଳବାର ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ଉପସ୍ଥିତିରେ ଗ୍ଲୋବାଲ ସେଣ୍ଟର ଫର୍‌ ଟ୍ରାଡିସନାଲ ମେଡିସିନ୍‌ (ଜିସିଟିଏମ୍‌)ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

Share