ଏକଦା ଟଙ୍କା ପାଇଁ ଟ୍ରେନ୍‌ରେ ଗାଉଥିଲେ ଗୀତ; ଏବେ କୋଟିରେ ନିଅନ୍ତି ପାଉଣା

ବମ୍ବେ: କଥାରେ ଅଛି ସଫଳତା ପାଇବାର ଗୋଟିଏ ମନ୍ତ୍ର ହେଉଛି କଠିନ ପରିଶ୍ରମ। ଲକ୍ଷ୍ୟ ହାସଲ କରିବାର ନିଷ୍ଠା ମନରେ ଥିଲେ ଜୀବନରେ ସବୁକିଛି ପାଇହେବ। କିଛି ଏଭଳି କାହାଣୀ ବଲିଉଡ୍‌ ଅଭିନେତା ତଥା ଗାୟକ ଆୟୁଷ୍ମାନ ଖୁରାନ୍ନାଙ୍କର। ଏମ୍‌ଟିଭିରେ ପ୍ରସାରିତ ଶୋ’ ‘ରୋଡିଜ୍‌ ୨’ରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଶୋ’ ଜିତିବା ପରଠାରୁ ସେ ପଛକୁ ଫେରି ଆଉ ଦେଖି ନାହାନ୍ତି।

ଆୟୁଷ୍ମାନ କିନ୍ତୁ ଷ୍ଟ୍ରଗଲ ଦିନରେ ଟ୍ରେନ୍‌ରେ ଗୀତ ଗାଉଥିଲେ। ଲୋକେ ତାଙ୍କୁ ଖୁସିରେ ଟଙ୍କା ଦେଉଥିଲେ। ହେଲେ ଏବେ ସମୟ ବଦଳିବା ସହ ବଦଳିଛି ପରିଚୟ। ଅଭିନେତା ଆଜିକାଲି ଫିଲ୍ମ ପିଛା କୋଟି କୋଟି ଟଙ୍କା ଚାର୍ଜ କରୁଛନ୍ତି। ଗୋଟିଏ ଫିଲ୍ମ ସାଇନ୍‌ କଲେ ଆୟୁଷ୍ମାନ ୧୦ କୋଟି ଟଙ୍କା ଚାର୍ଜ କରନ୍ତି। ଫିଲ୍ମ ବ୍ୟତିତ ବିଜ୍ଞାପନରୁ ମଧ୍ୟ ତାଙ୍କ ରୋଜଗାର କାହିଁରେ କେତେ। ଏଥିଲାଗି ପ୍ରାୟ ୧ କୋଟି ଟଙ୍କା ସେ ଦାବି କରନ୍ତି। ଆୟୁଷ୍ମାନ ଏବେ ୬୭ କୋଟି ସମ୍ପତ୍ତିର ମାଲିକ। ଅଭିନେତାଙ୍କ ପାଖରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଭବ୍ୟ ବଙ୍ଗଳା ରହିଛି। ଏହାଛଡ଼ା ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ତାଙ୍କର ସମ୍ପତ୍ତି ଏବଂ ଦାମୀ କାର୍‌ମାନ ରହିଛି।

ଅଭିନୟ ବିଷୟରେ କଥା ହେଲେ ବଲିଉଡ୍‌ରେ ସେ ନିଜର କ୍ୟାରିୟର ୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ‘ବିକ୍କି ଡୋନର୍‌’ରୁ କରିଥିଲେ। ଏହାପରେ ଅଭିନେତା ‘ନୌଟଙ୍କିସାଲା, ବେବକୁଫିୟାଁ, ହଓ୍ବାଇଜାଦା’ରେ ନଜର ଆସିଥିଲେ। ତିନୋଟିଯାକ ଫିଲ୍ମ ଫ୍ଲପ୍‌ ହୋଇଥିଲା। ଅଭିନେତା ଭୂମି ପେଡନେକରଙ୍କ ସହ ‘ଦମ୍‌ ଲଗାକେ ହେଇସା’ରେ ନଜର ଆସିଥିଲେ। ଏହା ହିଟ୍‌ ହେବା ପରେ ଆୟୁଷ୍ମାନ ‘ଅନ୍ଧାଧୁନ୍‌, ବଧାଇ ହୋ, ଆର୍ଟିକିଲ ୧୫, ଡ୍ରିମ୍‌ ଗର୍ଲ, ଶୁଭ ମଙ୍ଗଳ ସାବଧାନ’ଭଳି ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଏହା ତାଙ୍କୁ ସଫଳ କଳାକାର ଭାବେ ଖ୍ୟାତି ଦେଇଛି। ଆଜି ଏହି ଅଭିନେତା ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Share