Categories: ଜାତୀୟ

ଆଜମ ଖାଁଙ୍କୁ ପୁଣି ଝଟକା

ପ୍ରୟାଗରାଜ,୩।୮: ଆହ୍ଲାବାଦ ହାଇକୋର୍ଟ ହେଟ ସ୍ପିଚ ମାମଲାରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାଁଙ୍କୁ ଏମପି-ଏମଏଲଏ କୋର୍ଟ ରାମପୁରଙ୍କ ଦ୍ୱାରା ମୁକ୍ତ କରିବା ନିର୍ଦ୍ଦେଶକୁ ଷ୍ଟେ କରି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୭ରେ ହେବ। ଭାଜପା ବିଧାୟକ ଆକାଶ ସାକ୍ସେନାଙ୍କ ଅଭିଯୋଗ ଉପରେ ଏହି ମାମଲା ରୁଜୁ ହୋଇଥିଲା।
ରାମପୁର ଜିଲ୍ଲାର ପୋଲିସ ଷ୍ଟେଶନରେ ପଞ୍ଜୀକୃତ ହୋଇଥିବା ମାମଲାରେ ପୂର୍ବତନ ମନ୍ତ୍ରୀ ଆଜମ ଖାଁଙ୍କୁ ଅକ୍ଟୋବର ୨୭, ୨୦୨୨ରେ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହି ଆଦେଶକୁ ଜିଲା କୋର୍ଟ ଏମପି-ଏମଏଲଏ କୋର୍ଟରେ ଆଜାମ ଖାନ ଚ୍ୟାଲେଞ୍ଜ କରିଥିଲେ। ଏହି ଆବେଦନରେ ୨୪ମେ’ ୨୦୨୩ର ଆଦେଶ ଦ୍ୱାରା ଆଜାମ ଖାନ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ହେଲେ ଏହା ବିରୋଧରେ ରାଜ୍ୟ ସରକାର ହାଇକୋର୍ଟରେ ଆବେଦନ କରିଥିଲେ। ଯାହାର ଶୁଣାଣି ଗୁରୁବାର ଜଷ୍ଟିସ ରାଜଭୀର ସିଂଙ୍କ କୋର୍ଟରେ ଅନୁଷ୍ଠିତ ହୋଇଥିଲା।
ଅତିରିକ୍ତ ଆଡଭୋକେଟ ଜେନେରାଲ ପିସି ଶ୍ରୀବାସ୍ତବ ଏବଂ ଜେ.କେ ଉପାଧ୍ୟାୟ (ଏଜିଏ) ଙ୍କ ଯୁକ୍ତି ଶୁଣିବା ପରେ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ନୋଟିସ ଜାରି କରିଛନ୍ତି। ଏହା ସହିତ ଉଭୟ ନିମ୍ନ ଅଦାଲତର ରେକର୍ଡ ମଧ୍ୟ ଡକାଯାଇଛି। ସେପ୍ଟେମ୍ବର ୨୭ ପାଇଁ ପରବର୍ତ୍ତୀ ଶୁଣାଣି ତାରିଖ ସ୍ଥିର କରାଯାଇଛି।

Share