Categories: ଜାତୀୟ

ଆଜମ ଖାନ୍‌ଙ୍କୁ ୨ ବର୍ଷ ଜେଲ

ବରେଲି, ୧୬।୭: ୨୦୧୯ର ଘୃଣା ଭାଷଣ ମାମଲାରେ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ଶନିବାର ଉତ୍ତରପ୍ରଦେଶ ରାମପୁରର ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ଶୋଭିତ୍‌ ବଂଶଲଙ୍କ ଅଦାଲତ ତାଙ୍କୁ ୧,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।
୨୦୧୯ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ବେଳେ ସମାଜବାଦୀ ପାର୍ଟିର ଉତ୍ତରପ୍ରଦେଶର ଏକ ରାଲିରେ ଆଜମ ଖାନ୍‌ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଘୃଣିତ ମନ୍ତବ୍ୟ ଦେଇଥିଲେ। ଏଥିସହ ସେ ନିର୍ବାଚନ କମିଶନ ଏବଂ ତତ୍କାଳୀନ ରାମପୁର ଜିଲାପାଳଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ନିର୍ବାଚନକୁ ନେଇ ମିଥ୍ୟା ମନ୍ତବ୍ୟ ଦେବା, ସର୍ବସାଧାରଣରେ କୁତ୍ସା ରଟନା କରିବା ନେଇ ଆଜମଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଏବଂ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୫ରେ ମାମଲା ରୁଜୁ ହୋଇଥିଲା। ଶାହଜାଦନଗରର ଧାମୋରାରେ ରାଲିକୁ ସମ୍ବୋଧିତ କଲାବେଳେ ୟୁପି ମୁଖ୍ୟମନ୍ତ୍ରୀ ଜଣେ ହତ୍ୟାକାରୀ ଏବଂ ଅଫିସରମାନେ ତାଙ୍କୁ ମାରିଦେବାକୁ ଚାହାନ୍ତି ବୋଲି ଆଜମ କହିଥିଲେ। ନିର୍ବାଚନ କମିଶନଙ୍କ ବିରୋଧରେ ସେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

Share