ଶାମଲି,୧୨।୫: ଉତ୍ତରପ୍ରଦେଶ ଶାମଲି ଜିଲାର କେରାନାରେ ରହୁଥିବା ୨ ଫୁଟ ୬ ଇଞ୍ଚର ୨୮ବର୍ଷୀୟ ଆଜିମ ମନସୁରୀ ନାମକ ଜଣେ ବ୍ୟକ୍ତି ନିଜ ବିବାହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଗତ ବର୍ଷ ୨୦୨୧ ମାର୍ଚ୍ଚ ୯ରେ ହାପୁଡ ଜିଲାର ୨୧ବର୍ଷୀୟ ଯୁବତୀ ବୁଶରାଙ୍କ ସହ ଆଜିମଙ୍କ ନିର୍ବନ୍ଧ ସରିଛି। ବୁଶରାଙ୍କ ଉଚ୍ଚତା ମଧ୍ୟ ଆଜିମଙ୍କ ଭଳି କମ୍। ବିବାହ ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଆଜିମଙ୍କ ବାପାମା’ କିନ୍ତୁ ଏବେ ବାହାଘର କରାଇବାକୁ ଚାହୁଁନାହାନ୍ତି। ୩ଭାଇଙ୍କର ବିବାହ ଏକାସାଙ୍ଗରେ ହେବ ବୋଲି ତାଙ୍କ ପରିବାରଲୋକେ କହୁଛନ୍ତି ବୋଲି ଆଜିମ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଶେଷରେ ଆଜିମ ହାତରେ ଏକ ପୋଷ୍ଟର ନେଇ ଗୁରୁବାର ଥାନାଧିକାରୀଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ସେ ଏସ୍ଏଚ୍ଓଙ୍କୁ ଗୁହାରୀ କରି ତାଙ୍କର ବାହାଘର କରେଇଦେବାକୁ ନିବେଦନ କରିିଥିଲେ। ପରିବାର ଲୋକ ବାହାଘର କରାଉନାହାନ୍ତି। ବାହାଘର ଠିକ୍ ହୋଇଥିବା ଝିଅ ହାପୁଡର। ସେ ବି.କମ ପଢ଼ିଛନ୍ତି ବୋଲି ଆଜିମ କହିଛନ୍ତି। ଏସ୍ଏଚ୍ଓ ଥାନାଧିକାରୀ ତାଙ୍କଠାରୁ ସବୁ ଶୁଣିବା ସହ ଉକ୍ତ ଚିଠି ନେଇ ଆଶ୍ବାସନା ଦେଇ କହିଛନ୍ତି ଖୁବ୍ଶୀଘ୍ର ତୁମର ବାହାଘର କରାଇବୁ। ସେହିପରି ଆଜିମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ତାଙ୍କର ବାହାଘର କରାଇଦେବା ପାଇଁ ଗୁହାରୀ କରିଛନ୍ତି। ଉକ୍ତ ଚିଠିରେ ସେ ଲେଖିଛନ୍ତି, ବାହାହେବା ପାଇଁ ମୋର ବହୁତ ମନ ଅଛି,ଏଥିପାଇଁ ମୋତେ ରାତିରେ ନିଦ ହେଉନି। କେହି ଜାଣି ପାରୁନାହାନ୍ତି ମୁଁ ମୋ ଜୀବନସାଥି ପାଇଁ କେତେ କ୍ଦୁଃଖରେ ରହୁଛି, ମୋ ଭାଇମାନଙ୍କର ବାହାଘର ଧୀରେ ଧୀରେ ହେବ କିନ୍ତୁ ମୋ ବାହାଘର ଶୀଘ୍ର କରେଇ ଦିଅନ୍ତୁ ବୋଲି ଆଜିମ ମୋଦିଙ୍କୁ ଚିଠି ଲେଖିଛନ୍ତି। ଆଜିମଙ୍କ ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସବୁଠି ଏବେ ତାଙ୍କରି ଚର୍ଚ୍ଚା ଲାଗି ରହିଛି।