ଆଜେରବାଇଜାନ ନାଗର୍ନୋ-କରାବାଖ ଅଞ୍ଚଳକୁ ଦଖଲ କଲା, ଆର୍ମେନିଆ ଯୁଦ୍ଧ ବନ୍ଦ କରିବାକୁ ରାଜି…

ବାକୁ, ୨୧।୯: ନାଗର୍ନୋ-କରାବାଖର ବିଚ୍ଛିନ୍ନ ଅଞ୍ଚଳ ଉପରେ ଆଜେରବାଇଜାନ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଛି। ଏହାପୂର୍ବରୁ ଆର୍ମେନିଆ ସୈନିକମାନେ ଆତ୍ମସମର୍ପଣ କରିଥିଲେ। ଏହା ସହ ଆର୍ମେନିଆ ଆଜେରବାଇଜାନ ସହ ଅସ୍ତ୍ରବିରତି  କରିବାକୁ ରାଜି ହୋଇଛି।

ଅସ୍ତ୍ରବିରତି ହେବାର ଏକ ଘଣ୍ଟା ପରେ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନିଆନ କହିଛନ୍ତି ଏହି ଅଞ୍ଚଳରେ ଶତ୍ରୁତା ହ୍ରାସ ପାଇଛି। ଆଜେରବାଇଜାନର ଅଧିକାରୀମାନେ କହିଛନ୍ତି ଯେ ବିଚ୍ଛିନ୍ନତାବାଦୀମାନେ ଅସ୍ତ୍ର ରଖିଛନ୍ତି ବୋଲି ଘୋଷଣା କରିବା ପରେ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ସାମରିକ ଅପରେଶନ ବନ୍ଦ ହୋଇଯାଇଥିଲା।

ଆଜେରବାଇଜାନ ସର୍ତ୍ତ ରଖିଛି ନାଗର୍ନୋ-କରାବାଖର ବିଚ୍ଛିନ୍ନତାବାଦୀମାନେ ସେମାନଙ୍କର ସମସ୍ତ ଅସ୍ତ୍ର ସମର୍ପଣ କଲେ ହିଁ ଅସ୍ତ୍ରବିରତି  ହେବ। ଆଜେରବାଇଜାନ ଦାବି କରିଛି ଏହାର ବାହିନୀ ନାଗର୍ନୋ-କରାବାଖରେ ୬୦ ରୁ ଅଧିକ ସାମରିକ ବେସ କବଜା କରିଛି। ସେ ଏହି କ୍ଷେତ୍ର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଛନ୍ତି।

ଆଜେରବାଇଜାନ ସେନା ମଙ୍ଗଳବାର ଦିନ ନାଗର୍ନୋ-କରାବାଖ ଅଞ୍ଚଳରେ ଆର୍ମେନିଆ ସ୍ଥିତିରେ ଗୁଳି ଚଳାଇଥିଲା। ପ୍ରଥମ ଦିନରେ ଏହି ଗୁଳି ବିନିମୟରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିଲା। ନାଗର୍ନୋ-କରାବାଖ ଅଞ୍ଚଳରେ ଲାଣ୍ଡମାଇନ ବିସ୍ଫୋରଣରେ ଚାରିଜଣ ସୈନିକ ଏବଂ ଦୁଇ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର କିଛି ଘଣ୍ଟା ପରେ ଆଜେରବାଇଜାନ ସାମରିକ କାର୍ଯ୍ୟ ଆରମ୍ଭ କରିବାକୁ ଘୋଷଣା କରିଛି।

Share