Categories: ଖେଳ

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର

କରାଚି,୧୬।୧୨: ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ଅଜହର ଅଲି ଶୁକ୍ରବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ସିରିଜର ତୃତୀୟ ମୁକାବିଲା ତାଙ୍କ ଟେଷ୍ଟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ହେବ।

କରାଚି ଟେଷ୍ଟ ପୂର୍ବରୁ ନିଜର ସନ୍ନ୍ୟାସ ନେଇ ଘୋଷଣା କରି ଅଜହର କହିଛନ୍ତି, କ୍ରିକେଟରେ ଦେଶର ପ୍ରତିନିଧିତ୍ୱ କରିବା ଗୌରବର ବିଷୟ। ଅବସର ନେବା କିନ୍ତୁ ସବୁଠାରୁ କଠିନ ନିଷ୍ପତ୍ତି। ହେଲେ ବହୁତ ଚିନ୍ତା କରିବା ପରେ ଅନୁଭବ କରୁଛି ଯେ ଟେଷ୍ଟ କ୍ରିକେଟରୁ ଅବସର ନେବାର ଏହା ହେଉଛି ଉପଯୁକ୍ତ ସମୟ। ଏହି ଚମତ୍କାର ଯାତ୍ରାରେ ଅନେକ ଲୋକ ମୋତେ ସମର୍ଥନ କରିଥିଲେ, ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ବିଶେଷ ଭାବେ ମୋ ପରିବାରକୁ ଏଥିଲାଗି ଉଲ୍ଲେଖ କରିବାକୁ ଚାହୁଁଛି। ସେମାନେ ମୋ ସଫଳତା ପାଇଁ ଅନେକ ବଳିଦାନ ଦେଇଛନ୍ତି। ଆଜି ଯେଉଁଠି ବି ପହଞ୍ଚିଛି, ସବୁ ମୋର ପିତାମାତା, ସ୍ତ୍ରୀ, ଭାଇଭଉଣୀ ଏବଂ ପିଲାଙ୍କ ପାଇଁ ବୋଲି ସେ କହିଛନ୍ତି।

କହିରଖୁଛୁ,ଅଜହର ୨୦୧୦ରେ ଲର୍ଡସର ଐତିହାସିକ ମଇଦାନରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ନିଜର ଡେବ୍ୟୁ କରିଥିଲେ। ଏହାପରେ ସେ ଦଳ ପାଇଁ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଖେଳିଥିଲେ। ହେଲେ ନିଜ କ୍ୟାରିୟରରେ ସେ ଦଳ ଲାଗି ଅନ୍ତର୍ଜାତୀୟ ଟି୨୦ ଖେଳିବାର ସୁଯୋଗ ପାଇନାହାନ୍ତି।

Share