ଅଜିମ ପ୍ରେମଜୀଙ୍କୁ ପଛରେ ପକାଇଲେ ଦେଶର ସବୁଠୁ ଧନୀ ମହିଳା; ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୧୨।୧୨: ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବର୍ତ୍ତମାନ ୱିପ୍ରୋ ମାଲିକ ଅଜିମ ପ୍ରେମଜୀଙ୍କ ଅପେକ୍ଷା ଅଧିକ ଧନୀ ହୋଇଛନ୍ତି। ଏହା ସହ ସେ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ଜେଏସଡବ୍ଲୁ ଚେୟାରମ୍ୟାନ ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ୨୫ ବିଲିୟନ ଡଲାରରେ ପହଞ୍ଚିଛି। ଗତ ଦୁଇ ବର୍ଷରେ ତାଙ୍କର ସମ୍ପତ୍ତି ୮୭ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସମାନ ଅବଧିରେ ପ୍ରେମଜୀଙ୍କ ସମ୍ପତ୍ତି ୪୨ ପ୍ରତିଶତ ହ୍ରାସ ପାଇଛି।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଦୁଇ ବର୍ଷ ପୂର୍ବେ ପ୍ରେମଜୀ ଭାରତର ତୃତୀୟ ଧନୀ ବ୍ୟକ୍ତି ଥିଲେ। ତାଙ୍କଠାରୁ କେବଳ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀ ରହିଥିଲେ। ୱିପ୍ରୋ ପାଇଁ ଗତ ଦୁଇ ବର୍ଷ ଅତ୍ୟନ୍ତ ଖରାପ ହୋଇଛି। ଜାନୁଆରୀ ୨୦୨୨ ଠାରୁ କମ୍ପାନୀର ଶେୟାର ୪୨ ପ୍ରତିଶତ ହ୍ରାସ ପାଇଛି। ତେଣୁ ପ୍ରେମଜୀଙ୍କ ସମ୍ପତ୍ତି ମଧ୍ୟ ୪୨ ପ୍ରତିଶତ ହ୍ରାସ ପାଇଛି। ବର୍ତ୍ତମାନ ସେ ଦେଶର ଧନୀ ଲୋକଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛନ୍ତି।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ସାବିତ୍ରୀ ଜିନ୍ଦଲଙ୍କ ବ୍ୟବସାୟ ଇସ୍ପାତ, ବିଦ୍ୟୁତ, ସିମେଣ୍ଟ ଏବଂ ଭିତ୍ତିଭୂମି ଭଳି ଅନେକ କ୍ଷେତ୍ରରେ ବ୍ୟାପିଛି। ଅନ୍ୟପକ୍ଷରେ ୱିପ୍ରୋରେ ଅଜିମ ପ୍ରେମଜୀଙ୍କ ଅଂଶ ୬୨.୫ ପ୍ରତିଶତ, ଯାହାର ମୂଲ୍ୟ ବର୍ତ୍ତମାନ ୧୬.୫ ବିଲିୟନ ଡ଼ଲାର ଅଟେ। ଗତ ଏକ ବର୍ଷ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ବିଭିନ୍ନ କମ୍ପାନୀର ଶେୟାର ବୃଦ୍ଧି ପାଇଛି।
ଗତ ଏକ ବର୍ଷ ମଧ୍ୟରେ ଟାଟା ଗ୍ରୁପର ବିଭିନ୍ନ କମ୍ପାନୀର ଶେୟାର ବୃଦ୍ଧି ପାଇଛି। ଏହି କାରଣରୁ, ଟାଟା ଗ୍ରୁପରେ ୧୮.୪ ପ୍ରତିଶତ ମାଲିକ ଥିବା ଶାପୁର ପାଲୋଞ୍ଜୀ ମିସ୍ତ୍ରୀ ଏବଂ ତାଙ୍କ ପରିବାରର ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମିସ୍ତ୍ରୀ ବର୍ତ୍ତମାନ ଦେଶର ତୃତୀୟ ଧନୀ ବ୍ୟକ୍ତି। ତାଙ୍କ ପରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଶିବ ନାଦର ଚତୁର୍ଥ ସ୍ଥାନରେ ଅଛନ୍ତି।

Share