Categories: ଜାତୀୟ

କଳା ଇତିହାସକାର ବି.ଏନ୍‌. ଗୋସ୍ବାମୀଙ୍କ ପରଲୋକ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଖ୍ୟାତନାମା କଳା ଇତିହାସକାର ତଥା ଲେଖକ ବ୍ରିଜେନ୍ଦ୍ର ନାଥ ଗୋସ୍ବାମୀଙ୍କର ଶୁକ୍ରବାର ଚଣ୍ଡିଗଡ଼ର ପିଜିଆଇଏମ୍‌ଇଆର୍‌ରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ଥିଲେ ବୋଲି ତାଙ୍କ ପରିବାରର ବନ୍ଧୁ ତଥା ଅଭିନେତା ନୀଲମ ମାନ୍‌ସିଂ କହିଛନ୍ତି। ୧୯୩୩ ଅଗଷ୍ଟ ୧୫ରେ ଜନ୍ମିତ ଗୋସ୍ବାମୀ ତାଙ୍କର ପାହାରି ଶୈଳୀର ଚିତ୍ରାଙ୍କନ ପାଇଁ ବେଶ୍‌ ଜଣାଶୁଣା ଥିଲେ। ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ଶିକ୍ଷା ଓ ଗବେଷଣାରେ କ୍ୟାରିୟର କରିବା ପାଇଁ ୯୫୮ରେ ସମ୍ମାନଜନକ ସିଭିଲ୍‌ ସର୍ଭିସ୍‌ ଛାଡ଼ିଥିଲେ। ପାହାରି ପେଣ୍ଟିଂ, କ୍ଷୁଦ୍ର ପ୍ରତିରୂପ ଚିତ୍ରାଙ୍କନ, କୋର୍ଟ ପେଣ୍ଟର ଏବଂ ମାଷ୍ଟର୍ସ ଅଫ୍‌ ଇଣ୍ଡିଆନ୍‌ ପେଣ୍ଟିଂ ଆଦିରେ ସେ ୨୬ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିଛନ୍ତି। ତାଙ୍କର ଶେଷ ପୁସ୍ତକ ‘ଦି ଇଣ୍ଡିଆନ୍‌ କ୍ୟାଟ୍‌: ଷ୍ଟୋରିଜ୍‌, ପେଣ୍ଟିଂସ୍‌, ପୋଏଟ୍ରି ଆଣ୍ଡ ପ୍ରୋଭର୍ବସ୍‌’। ଗୋସ୍ବାମୀଙ୍କ ସ୍ତ୍ରୀ କରୁଣା ମଧ୍ୟ ଜଣେ କଳା ଇତିହାସକାର ଥିଲେ। ୨୦୨୦ରେ ତାଙ୍କର ପରଲୋକ ହୋଇଥିଲା। ଗୋସ୍ବାମୀ ତାଙ୍କ ଝିଅ ମାଳବିକା ସହ ରହୁଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

Share