ବାବା ବଳିଆଙ୍କ ସତର୍କବାଣୀ: ଏମିତି କାମ ନ କଲେ ପରିସ୍ଥିତି ହୋଇଯିବ ଅସମ୍ଭାଳ

ବଲାଙ୍ଗୀର,୬ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀରର ଏକ ହୋଟେଲ ରେ ଶୁକ୍ରବାର ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ବାବା ବଳିଆ ଖବରଦାତା ସମ୍ମିଳନୀ ଡାକି ପରିବେଶ, ଗଣତନ୍ତ୍ର ଓ ଧର୍ମ ସଚେତନତା ଯାତ୍ରା ବିଷୟରେ ସୂଚନା ଦେଇଥିଲେ। ବାବା ବଳିଆ କହିଥିଲେ ଯେ, ପୂର୍ବରୁ ଗଛ ଓ ଜଙ୍ଗଲ ଅଧିକ ଥିଲା ଓ ଲୋକସଂଖ୍ୟା କମ୍‌ ରହିଥିଲା। ଏବେ ଲୋକସଂଖ୍ୟା ବଢ଼ୁଛି ମାତ୍ର ଗଛ ଓ ଜଙ୍ଗଲ ବୃଦ୍ଧି ପାଉନାହିଁ। ଏହା ଚିନ୍ତାଜନକ। ପ୍ରତ୍ୟେକ ବ୍ୟକ୍ତି ଏ ଦିଗରେ ସଚେତନ ହେବା ଜରୁରୀ। ଜଙ୍ଗଲ ସୁରକ୍ଷା ଏବଂ ବୃକ୍ଷରୋପଣ ନ କଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ସେ କହିଥିଲେ। ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ଯେଭଳି ଅବନତି ଦେଖାଯାଉଛି ତାହା ଚିନ୍ତାଜନକ ବୋଲି କହିଥିଲେ। ସମଗ୍ର ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ବିସ୍ତାରବାଦୀ ଚିନ୍ତାଧାରା ବିପଜ୍ଜନକ ବୋଲି କହିଥିଲେ। ଏହି ଅବସରରେ ଖବରଦାତା ମାନେ ପଶ୍ଚିମ ଓଡିଶାର ନୂଆଖାଇ ତିହାରକୁ ନେଇ ପୂର୍ବରୁ ଦେଇଥିବା ବାବା ବଳିଆଙ୍କ ବିବାଦୀୟ ମତ ଉପରେ ପ୍ରଶ୍ନ କରଥିଲେ। ତେବେ ବାବା ବଳିଆ ପଶ୍ଚିମ ଓଡିଶାର ନୂଆଖାଇ ତିହାର ଉପରେ ସେ କିଛି ବି ନକରାତ୍ମକ ମତ ଦେଇ ନ ଥିଲେ ବରଂ ଦୁଇଟି ଟିଭି ଚ୍ୟାନେଲ ତାହାକୁ ସେଭଳି ଭାବେ ପରିବେଷଣ କରିଥିଲେ ବୋଲି କହିଥିଲେ। ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ କରାଯିବା ସହ ଦେଶ ବାହାରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ ବୋଲି କହିଥିଲେ।

Share