ଅଯୋଧ୍ୟା,୫।୮: ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ନେଇ ଅନୁଷ୍ଠିତ ହୋଇଛି ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ରାମମନ୍ଦିରର ଶିଳାନ୍ୟାସ କରିଛନ୍ତି। ତେବେ ଏହି ମନ୍ଦିର ନିର୍ମାଣ ନେଇ ଅନେକେ କଟୁ ମନ୍ତବ୍ୟ ରଖୁଛନ୍ତି। ଯୋଗଗୁରୁ ବାବା ରାମଦେବ ସେମାନଙ୍କୁ ଭତ୍ସନା କରିବା ସହ କହିଛନ୍ତି, ଅଯୋଧ୍ୟାକୁ ନେଇ ଯେଉଁ ଲୋକ ଓଲଟାପାଲଟା କଥା କହୁଛନ୍ତି, ସେମାନେ ଲଙ୍କା ଖାଇବା ପରି ହେଉଛନ୍ତି। କରୋନିଲ୍ ପ୍ରସ୍ତୁତ କରିବା ଭଳି ଏଭଳି ଲୋକଙ୍କ ପାଇଁ ମୁଁ ଔଷଧ ପ୍ରସ୍ତୁତ କରିବି। ଯେଉଁମାନେ ସମାଲୋଚନା କରୁଥିଲେ ସେମାନେ ଏବେ କରୋନିଲ ଖାଉଛନ୍ତି। ମୁଁ କହିଲି ଖାଇ ନିଅ, ତେବେ ହିଁ ବଞ୍ଚିବ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, କେବଳ ଅଯୋଧ୍ୟାର ରାଜା ଥିବା ଯୋଗୁ ରାମଙ୍କୁ ପୂଜା କରାଯାଏ ନାହିଁ। ସେ ବନବାସ ଯାଇଥିଲେ, ରାବଣର ସଂହାର କରିଥିଲେ। ସେ ଜଣେ ପୁଅ, ସ୍ବାମୀ ଏବଂ ରାଜା ହେବାର ଧର୍ମ ନିଭାଇଥିଲେ। ଭଗବାନ ରାମ ରାଜନୀତି ନୁହଁନ୍ତି, ସେ ରାଷ୍ଟ୍ର ଅଟନ୍ତି, ଧର୍ମ ଅଟନ୍ତି, ତପ ଏବଂ ତ୍ୟାଗ ମଧ୍ୟ ଅଟନ୍ତି ବୋଲି ରାମଦେବ କହିଛନ୍ତି।