ବାବା ରାମଦେବଙ୍କ କରୋନା ଔଷଧକୁ ନେଇ ବଢୁଛି ଅଡୁଆ

ଡେରାଡୁନ,୨୪।୬: ଯୋଗଗୁୁରୁ ବାବା ରାମଦେବଙ୍କ ଆୟୁର୍ବେଦ ସଂସ୍ଥା ପତଞ୍ଜଳି ମଙ୍ଗଳବାର କରୋନା ମହାମାରୀର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ନେଇ ସ୍ପଷ୍ଟ କରିବା ସହ ‘ଦିବ୍ୟ କରୋନିଲ ଟାବଲେଟ’ ନାମକ ଏକ ଔଷଧ ଲଞ୍ଚ ମଧ୍ୟ କରିଥିଲା। ଏବେ ଏହାକୁ ନେଇ ଅଡୁଆ ବଢିବାରେ ଲାଗିଛି। ପ୍ରଥମେ ଆୟୁଷ ମନ୍ତ୍ରଣାଳୟ ଏହି ଔଷଧର ଯାଞ୍ଚ ପୂର୍ବରୁ ବିକ୍ରି କରିବାକୁ ଅନୁମତି ନ ଦେଇଥିବା ବେଳେ ଏବେ ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗ ଲାଇସେନ୍ସକୁ ନେଇ ସଫେଇ ଦେଇଛି। ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗର ଲାଇସେନ୍ସ ଅଫିସର କହିଛନ୍ତି ଯେତେବେଳେ ପତଞ୍ଜଳି ଲାଇସେନ୍ସ ପାଇଁ ଆବେଦନ କରିଥିଲା ସେଥିରେ କରୋନା କଥା ଉଲ୍ଲେଖ କରାଯାଇ ନ ଥିଲା। ଆମେ କେବଳ ଇମ୍ୟୁନିଟି ବୁଷ୍ଟର, କାଶ ଓ ଜ୍ୱର ପାଇଁ ଲାଇସେନ୍ସ ପ୍ରଦାନ କରିଛୁ। ଏବେ ଯଦି ପତଞ୍ଜଳି କରୋନା ଔଷଧ ପ୍ରସ୍ତୁତ କରିଥିବା ଦାବି କରୁଛି ତେବେ ତାକୁ ନୋଟିସ ଜାରି କରାଯିବ। ଏହି ଔଷଧ ପ୍ରସ୍ତୁତ କରିବାକୁ କିଏ ଅନୁମତି ପ୍ରଦାନ କଲେ ବୋଲି ସେଥିରେ ପ୍ରଶ୍ନ କରାଯିବ ବୋଲି ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗର ଲାଇସେନ୍ସ ଅଫିସର କହିଛନ୍ତି।

Share