Categories: ଖେଳ

ବାବର ଆଜାମଙ୍କ ରେକର୍ଡ ତାଲିକାରେ ନୂଆ ଫର୍ଦ୍ଦ

ହରାରେ,୧୦।୫: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୋମବାର ପାକିସ୍ତାନ ପୁରୁଷ ଦଳର ଅଧିନାୟକ ବାବର ଆଜାମଙ୍କୁ ଶୁଭେଚ୍ଛା ଜଣାଇଛି। ସେ ପ୍ରଥମ ପାକିସ୍ତାନ ଅଧିନାୟକ ଭାବେ ପ୍ରଥମ ୪ ଟେଷ୍ଟ ମ୍ୟାଚ୍‌ ଜିତିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକାକୁ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ପାକିସ୍ତାନ ହରାଇ ଦେଇଥିଲା। ଏହାପରେ ଜିମ୍ବାଓ୍ବେକୁ ୨ଟି ଟେଷ୍ଟରେ ହରାଇ ପାକିସ୍ତାନର ପ୍ରଥମ ଅଧିନାୟକ ଭାବେ ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି ବାବର।

ଏହାବାଦ୍‌ ତାଙ୍କ ନେତୃତ୍ୱରେ ପାକିସ୍ତାନ ଦଳର ଏହା କ୍ରମାଗତ ୬ଷ୍ଠ ସିରିଜ୍‌ ବିଜୟ। ପାକିସ୍ତାନ ୬ଷ୍ଠ ଥର ପାଇଁ ୬ଟି କିମ୍ବା ତା’ଠାରୁ ଅଧିକ ଅନ୍ତର୍ଜାତୀୟ ସିରିଜ୍‌ ଜିତିଛି। ୨୦୧୧-୧୨ ସିଜନରେ ପାକିସ୍ତାନ ସର୍ବାଧିକ ୧୩ଟି ସିରିଜ୍‌ ଜିତିଥିଲା। ଏହାପରେ ୨୦୧୫-୧୬ରେ କ୍ରମାଗତ ୯ଟି, ୨୦୦୧-୦୨ରେ ୮ଟି, ୧୯୯୩-୯୪ ଓ ୨୦୧୭-୧୮ରେ କ୍ରମାଗତ ୬ଟି ସିରିଜ୍‌ ହାତେଇଥିଲା ପାକିସ୍ତାନ।

Share