ହାରାରେ,୨୫।୪ : ନିକଟରେ ଆଇସିସି ଟି୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍ରେ ବିରାଟ କୋହଲିଙ୍କୁ ପଛରେ ପକାଇଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ ରବିବାର ହାସଲ କରିଛନ୍ତି ଏକ ବିଶ୍ୱ ରେକର୍ଡ। ସେ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ପୂରଣ କରିଛନ୍ତି ୨ ହଜାର ରନ୍। କ୍ୟାରିୟରର ୫୨ ତମ ଇନିଂସରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି ବାବର।
ଏହି ରେକର୍ଡ ପୂର୍ବରୁ ଥିଲା କୋହଲିଙ୍କ ନାମରେ। ତାଙ୍କୁ ଏହି ମାଇଲଷ୍ଟୋନରେ ପହଞ୍ଚିବା ପାଇଁ ଲାଗିଥିଲା ୫୬ଟି ଇନିଂସ। ଏଥି ପୂର୍ବରୁ କୋହଲି (୨୬ତମ ଇନିଂସ)ଙ୍କ ଠାରୁ ଗୋଟିଏ କମ୍ ଇନିଂସ ଖେଳି ବାବର ପୂରଣ କରିଥିଲେ ଏକ ହଜାର ରନ୍। ତେବେ ଏହି ରେକର୍ଡ ଏବେ ଇଂଲଣ୍ଡର ଦାଓ୍ବିଦ ମଲାନଙ୍କ ନାମରେ ରହିଛି। ସେ ୨୪ତମ ଇନିଂସରେ ଏକ ହଜାର ରନ୍ ପୂରଣ କରିଛନ୍ତି।