Categories: ଖେଳ

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ମୁଲତାନ,୧୦।୬: ପାକିସ୍ତାନ ଅଧିନାୟକ ବାବର ଆଜାମ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଛନ୍ତି। ତାଙ୍କ ଶତକ ଯୋଗୁ ୩୦୬ ରନ୍‌ର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ ୪ ବଲ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ବାବର ୧୦୭ ବଲରେ ୧୦୩ ରନ୍‌ ପାଳି ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର ୧୭ତମ ଦିନିକିଆ ଶତକ।

ବାବର ଏହି ଶତକୀୟ ଇନିଂସ ଅବସରରେ ପାକିସ୍ତାନ ଅଧିନାୟକ ଭାବେ ୧୦୦୦ ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନରେ ପହଞ୍ଚିବା ଲାଗି ତାଙ୍କୁ ମାତ୍ର ୧୩ ଇନିଂସ ଲାଗିଛି। ଏଥିସହିତ ଅଧିନାୟକ ଭାବେ ଏକ ହଜାର ରନ୍‌ ପୂରଣ କରିବାରେ ସେ ଦ୍ରୁତତମ ବ୍ୟାଟର ହେବାର ରେକର୍ଡ କରିଛନ୍ତି। ଏହି ରେକର୍ଡ ପୂର୍ବରୁ ଥିଲା ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ। ସେ ୧୭ତମ ଇନିଂସରେ ୧୦୦୦ ରନ୍‌ ପୂରଣ କରିଥିଲେ।

ତାଲିକାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ଭିଲିର୍ସ (୧୮ ଇନିଂସ), ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ (୨୦) ଓ ଇଂଲଣ୍ଡର ଆଲିଷ୍ଟର କୁକ୍‌ (୨୧) ରହିଛନ୍ତି। ଏହି ରେକର୍ଡ ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଇନ୍‌ଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛି। ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ କୋହଲିଙ୍କ ରେକର୍ଡ ଭାଙ୍ଗିବା ପାଇଁ ବାବରଙ୍କୁ ୯୮ ରନ୍‌ ଦରକାର ଥିଲା ବେଳେ ସେ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାହା ହାସଲ କରି ଦେଖାଇଛନ୍ତି।

Share