Categories: ଖେଳ

କୋହଲିଙ୍କୁ ପଛରେ ପକାଇଲେ ବାବର ଆଜମ

ମୁଲତାନ,୩୧।୮: ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ନେପାଳକୁ ପରାସ୍ତ କରିଛି ପାକିସ୍ତାନି। ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ୫୦ ଓଭରରେ ୬ ଉଇକେଟ ହରାଇ ୩୪୨ ରନ ସଂଗ୍ରହ କରିଥିଲା। ପାକିସ୍ତାନ ପାଇଁ ଅଧିନାୟକ ବାବର ଆଜମ ୧୩୧ ବଲରେ ୧୫୧ ରନ ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୪ ଚୌକା ଓ ୪ ଛକା ମାରିଥିଲେ। ଏହା ବ୍ୟତୀତ ଇଫ୍‌ତିଖର ଅହମ୍ମଦ ମାତ୍ର ୭୧ ବଲରେ ୧୦୯ ରନ ସଂଗ୍ରହ କରିଥିଲେ।
ତେବେ ପାକିସ୍ତାନ ଅଧିନାୟକ ବାବର ଆଜମ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ନେପାଳ ବିପକ୍ଷରେ ଦିନିକିଆ କ୍ୟାରିୟରର ୧୯ତମ ଶତକ ସ୍କୋର କରିଥିଲେ ବାବର ଆଜମ। ୧୦୨ ଇନିଂସରେ ୧୯ତମ ଥର ଶତକ ଅତିକ୍ରମ କରିଥିଲେ।ଏହିପରି, ବାବର ଆଜାମ ସର୍ବନିମ୍ନ ସଂଖ୍ୟକ ଇନିଂସରେ ୧୯ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଏଥି ସହିତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ହାସିମ ଆମଲା ୧୦୪ ଇନିଂସରେ ୧୯ତମ ଶତକ ହାସଲ କରିଥିଲେ।
ଏହା ପରେ ତୃତୀୟ ନମ୍ବର ହେଉଛି ଭାରତୀୟ ଭେଟେରାନ ବିରାଟ କୋହଲି। ବିରାଟ କୋହଲି ୧୨୪ ଇନିଂସରେ ୧୯ତମ ଶତକ ହାସଲ କରିଥିଲେ। ଏଥି ସହିତ ବିରାଟ କୋହଲିଙ୍କ ପରେ ଅଷ୍ଟ୍ରେଲିଆର ଓପନର୍‌ ଡେଭିଡ ୱାର୍ଣ୍ଣର ଅଛନ୍ତି। ୧୩୯ ଇନିଂସରେ ଡେଭିଡ ୱାର୍ନର ୧୯ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକାର ଖେଳାଳି ଏବି ଡି ଭିଲିୟର୍ସ ୧୭୧ ଇନିଂସରେ ୧୯ ଶତକ ହାସଲ କରିଥିଲେ। ଏହିପରି ଭାବରେ ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।

Share