Categories: ଖେଳ

ବାବରଙ୍କ ରଣହୁଙ୍କାର, କହିଲେ ‘କେହି କାହାଠାରୁ କମ୍‌ ନୁହଁନ୍ତି’

ପାଲିକେଲେ,୨।୯: ଏସିଆ କପ୍‌ ୨୦୨୩ ଟୁର୍ନାମେଣ୍ଟରେ ଶନିବାର ଖେଳାଯିବାକୁ ଥିବା ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ। ଶ୍ରୀଲଙ୍କାର ପାଲିକେଲେରେ ଖେଳାଯିବାକୁ ଥିବା ଏହି ହାଇ ଭୋଲ୍ଟେଜ୍‌ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି। ଦିନିକିଆ ଫର୍ମାଟରେ ଦୀର୍ଘ ୪ ବର୍ଷ ପରେ ଉଭୟ ଟିମ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଉତ୍କଣ୍ଠା ବଢ଼ୁଛି। ତେବେ ଏହି ମ୍ୟାଚ୍‌ ପୂର୍ବରୁ ରଣହୁଙ୍କାର ଦେଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ।

ବାବର କହିଛନ୍ତି, ଭାରତ ପାକିସ୍ତାନ ମୁକାବିଲା ସର୍ବଦା ଏକ ହାଇଭୋଲ୍ଟେଜ୍‌ ମୁକାବିଲା ପାଲଟିଥାଏ। ଆମେ ମଧ୍ୟ ଦର୍ଶକଙ୍କ ଭଳି ଏଭଳି ମ୍ୟାଚ୍‌ ଅପେକ୍ଷାରେ ଥାଉ। ଆମ ଉପରେ କୌଣସି ଚାପ ଏବେ ନାହିଁ। କେହି କାହାଠାରୁ କମ୍‌ ବି ନୁହନ୍ତି। ଆମେ ଗତ କିଛି ଦିନ ହେବ ଭଲ ଖେଳି ଆସୁଛୁ। ଆମେ ସେଭଳି ପ୍ରଦର୍ଶନ ଜାରି ରଖିବାକୁ ଚେଷ୍ଟା କରିବୁ। ହେଲେ ପରିଣାମ ଆମ ହାତରେ ନାହିଁ। ଆମ ଖେଳାଳି ବିଭିନ୍ନ ଲିଗ୍‌ରେ ଖେଳୁଛନ୍ତି। ଏଠାରେ ବି ଆମେ ଟେଷ୍ଟ ସିରିଜ ଖେଳିଛୁ। ଏଣୁ ଏହାର ଫାଇଦା ଆମ ଖେଳାଳି ଉଠାଇବେ। ବର୍ଷା ହେଲେ ମଧ୍ୟ ସ୍ଥିତି ଅନୁରୂପ ଆଗକୁ ବଢ଼ିବୁ ବୋଲି ବାବର କହିଛନ୍ତି।

ସେହିଭଳି ଭାରତ ବିପକ୍ଷ ଟିମ୍‌ ଘୋଷଣା ସମ୍ପର୍କରେ ବାବର କହିଛନ୍ତି, ଆମେ ଆମ ସାଧାରଣ ଟିମ୍‌ ସହ ମଇଦାନକୁ ଓହ୍ଲାଇବୁ। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଭଲ ଆରମ୍ଭ ଦେବାରେ ବିଫଳ ହୋଇଛନ୍ତି। ହେଲେ ମଧ୍ୟକ୍ରମରେ କିଛି ଖେଳାଳି ନିଜର ଯୋଗଦାନ ଦେଉଛନ୍ତି। ସେମାନେ ଦଳ ଏକାଦଶରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରୁଛନ୍ତି। ଦଳର ପ୍ରତିଟି ଖେଳାଳି ଭାରତ ବିପକ୍ଷରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି।

Share