କରାଚୀ,୨।୧: ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ଓ ଦଳର ଆନ୍ତରୀଣ ମୁଖ୍ୟ କୋଚ୍ ସାକଲିନ ମୁସ୍ତାକ ଜାତୀୟ ଦଳ ପାଇଁ ବିଦେଶୀ କୋଚ୍ ଚାହୁଁଛନ୍ତି। ଉଇକେଟକିପର ମହମ୍ମଦ ରିଜଓ୍ବାନ ମଧ୍ୟ ଏଥିରେ ଏକମତ ଥିବା ସ୍ପଷ୍ଟ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା।
“ବାବର, ରିଜଓ୍ବାନଙ୍କ ସହ ଆଲୋଚନା ବେଳେ ସେମାନେ କହିଥିଲେ ବିଦେଶୀ କୋଚ୍ ଜାତୀୟ ଦଳ ପାଇଁ ଉଚିତ ହେବ। ପରେ ଡ୍ରେସିଂ ରୁମ୍ ଲାଗି ସମାନ ଉପଦେଶ ଦେଇଥିଲେ ସାକଲିନ” ବୋଲି ପୂର୍ବତନ ଟେଷ୍ଟ ଅଧିନାୟକ କହିଛନ୍ତି।
ରାଜା ପିସିବି ଚେୟାରମ୍ୟାନ ହେବା ପରେ ୨୦୧୯ରୁ ପାକିସ୍ତାନ ଦଳର କୋଚ୍ ଦାୟିତ୍ୱରେ ଥିବା ମିଶବା ଉଲ ହକ୍ ଓ ବୋଲିଂ କୋଚ୍ ଓ୍ବାକର ୟୁନିସ ହଠାତ୍ ଇସ୍ତଫା ଦେଇଥିଲେ। ଏଣୁ ଟି୨୦ ବିଶ୍ୱକପ୍ ନିମନ୍ତେ ଅଷ୍ଟ୍ରେଲିଆନ ମାଥ୍ୟୁ ହେଡେନ ଓ ଦକ୍ଷିଣ ଆଫ୍ରିକାର ବର୍ନନ ଫିଲାଣ୍ଡରଙ୍କୁ ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ପରାମର୍ଶ ଦାତା ଭାବେ ନିଯୁକ୍ତ କରାଯାଇଥିଲ। ପିସିବି ପୂର୍ବରୁ ପାଓ୍ବର ହିଟିଂ ବ୍ୟାଟିଂ କୋଚ୍ ଓ ହାଇ ପରଫର୍ମାନ୍ସ ସେଣ୍ଟର ମୁଖ୍ୟ କୋଚ ସମେତ ୫ ପଦବୀ ଲାଗି ବିଜ୍ଞାପନ ଦେଇଛି।