Categories: ଜାତୀୟ

ବାବର ଖାଲସା ଅନ୍ତର୍ଜାତୀୟ ନେତା ଲଖବୀର ସିଂହ ଲାଣ୍ଡାଙ୍କୁ ଭାରତ ଘୋଷଣା କଲା ଆତଙ୍କବାଦୀ

ନୂଆଦିଲ୍ଲୀ,୩୦।୧୨: ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ନେତା ତଥା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଲାଣ୍ଡା ପଞ୍ଜାବର ତରନତାରନ ଜିଲାର ବାସିନ୍ଦା । ସେ ବର୍ତ୍ତମାନ କାନାଡାର ଆଲବର୍ଟା, ଏଡମୋଟନରେ ରହୁଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି। ବିଜ୍ଞପ୍ତି ଅନୁଯାୟୀ ଲାଣ୍ଡା ପାକିସ୍ତାନରୁ ଭାରତକୁ ଚୋରା ଚାଲାଣ ହେଉଥିବା ଅସ୍ତ୍ରଶସ୍ତ୍ର ଏବଂ ଆଇଇଡି ଉପକରଣ ଉପରେ ନଜର ରଖିଛି। ସେ ମଧ୍ୟ ୯ ମେ’ ୨୦୨୨ରେ ପଞ୍ଜାବ ପୋଲିସର ଇଣ୍ଟେଲିଜେନ୍ସ ମୁଖ୍ୟାଳୟ ଉପରେ ରକେଟ ପ୍ରୋପେଲଡ ଗ୍ରେନେଡ (ଆରପିଜି) ଆକ୍ରମଣର ମାଷ୍ଟରମାଇଣ୍ଡ ଅଟେ। ପଞ୍ଜାବ ପୋଲିସ ଏବଂ ଏନଆଇଏ ଏହି ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ତେବେ ସେ ବର୍ତ୍ତମାନ ପଳାତକ ଅଛନ୍ତି ଏବଂ କାନାଡାରେ ଲୁଚି ରହିଛନ୍ତି। ସେ କାନାଡାର ପ୍ରୋ-ଖାଲିସ୍ତାନ ଉପାଦାନ (ପିକେଇ) ସହିତ ମଧ୍ୟ ଜଡିତ। ପଞ୍ଜାବ ପୋଲିସର ସୂଚନାନୁସାରେ, ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ଲାଣ୍ଡା ଇମ୍ପ୍ରୋଭାଇଜଡ ବିସ୍ଫୋରକ ଉପକରଣ (ଆଇଇଡି), ଅସ୍ତ୍ରଶସ୍ତ୍ର, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଯୋଗାଇଥାଆନ୍ତି। ପଞ୍ଜାବ ସହିତ ଏହା ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ମଡ୍ୟୁଲ ମଧ୍ୟ ସ୍ଥାପନ କରିଛି। ଚୋରୀ, ହତ୍ୟା, ବିସ୍ଫୋରଣ, ନିଶା କାରବାର ତଥା ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ୨୦୨୧ରେ ତାଙ୍କ ବିରୋଧରେ ଏକ ଲୁକ ଆଉଟ ସର୍କୁଲାର୍‌ ଜାରି କରାଯାଇଥିଲା । ଏନଆଇଏ ମଧ୍ୟ ତାଙ୍କ ଉପରେ ପୁରସ୍କାର ଘୋଷଣା କରିଛି।

Share