Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ଆରମ୍ଭ ହେଲା କ୍ୟାପ୍‌ଟେନ୍ସ ମିଟ୍‌: ବାବର କହିଲେ ‘ଆମେ ଭାରତରେ ଅଛୁ ବୋଲି ଲାଗୁନାହିଁ’

ଅହମ୍ମଦାବାଦ,୪।୧୦: ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ୨୪ ଘଣ୍ଟାରୁ କମ୍‌ ସମୟ ବାକି। ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମୁକାବିଲା ଖେଳାଯିବ। ଉଭୟ ଟିମ୍‌ ଗତ ବିଶ୍ୱକପ୍‌ ଫାଇନାଲ ଖେଳିଥିଲେ। ଏମିତିରେ ବିଶ୍ୱକପ୍‌ ଓପନିଂ ମ୍ୟାଚ୍‌ ମଧ୍ୟ ସେମାନେ ଖେଳିବାକୁ ଯାଉଥିବାରୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ତେବେ ଓପନିଂ ମ୍ୟାଚ୍‌ ପୂର୍ବରୁ ଅହମ୍ମଦାବାଦରେ ଆଇସିସି ପକ୍ଷରୁ କ୍ୟାପ୍‌ଟେନ୍ସ ମିଟ୍‌(ଅଧିନାୟକଙ୍କ ଭେଟଘାଟ) କାର୍ଯ୍ୟକ୍ରମ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ୧୦ ଟିମ୍‌ର ଅଧିନାୟକ ଯୋଗ ଦେଇଥିବା ବେଳେ ଦଳର ପ୍ରସ୍ତୁତି ଏବଂ ଚିନ୍ତାଧାରାକୁ ନେଇ ବୟାନ ଦେଉଛନ୍ତି।
ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ବିଶ୍ୱକପ୍‌ ୨୦୨୩ରେ ଦଳର ଅଧିନାୟକ ହେବା ସମ୍ମାନର କଥା। ଆମ ଉପରେ ଚାପ ତ ରହିଛି। ହେଲେ ଆମର ଏହା ଅଭ୍ୟାସରେ ପରିଣତ ହେଲାଣି। ଖେଳରେ ଚାପ ରହିବା ସ୍ବାଭାବିକ। ଆମେ ଭଲ ପ୍ରସ୍ତୁତି କରିଥିବାରୁ ତାହା କାମରେ ଆସିବ ବୋଲି ଭାବୁଛୁ। ଏହି ଟୁର୍ନାମେଣ୍ଟ ବହୁତ ବଡ଼। ଆମର ଧ୍ୟାନ ସବୁ ମ୍ୟାଚ୍‌ ଉପରେ ରହିବ ବୋଲି ସେ କହିଛନ୍ତି। ସେହିଭଳି ପାକିସ୍ତାନ ଅଧିନାୟକ ବାବର ଆଜମ ଭାରତ ଆସି ବହୁତ ଭଲ ଅନୁଭବ କରୁଥିବା କହିଛନ୍ତି। ସପ୍ତାହେ ହେଲା ସେ ଭାରତରେ ଅଛନ୍ତି। ସେ ନିଜ ଦେଶରେ ନାହାନ୍ତି ବୋଲି ଅନୁଭବ କରି ନ ଥିବା କହିଛନ୍ତି।
ପ୍ରକାଶ ଯେ, ବିଶ୍ୱକପ୍‌ ଭାରତର ୧୦ ସ୍ଥାନରେ ଖେଳାଯିବ। ଏଥର ଟୁର୍ନାମେଣ୍ଟରେ ମୋଟ ୪୮ ମ୍ୟାଚ୍‌ ହେବ। ୧୯ ନଭେମ୍ବରରେ ବିଶ୍ୱକପ ଫାଇନାଲ ଅହମ୍ମଦାବାଦରେ ଖେଳାଯିବ।ଚେନ୍ନାଇ, ଦିଲ୍ଲୀ, ପୁଣେ, ଅହମ୍ମଦାବାଦ, ଧର୍ମଶାଳା, ପୁଣେ, ଲକ୍ଷ୍ନୌ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦରେ ବିଶ୍ୱକପ୍‌ ମ୍ୟାଚ ଅନୁଷ୍ଠିତ ହେବ। ଏଥର ସମୁଦାୟ ୧୦ ଟି ଦଳ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ବେଳେ ସମସ୍ତ ମ୍ୟାଚ ରାଉଣ୍ଡ-ରୋବିନ ଫର୍ମାଟରେ ଖେଳାଯିବ।
ଯଦିଓ ଟୁର୍ନାମେଣ୍ଟରେ ୧୦ ଦଳ ଅଛନ୍ତି, କିନ୍ତୁ ଟାଇଟଲ ପାଇଁ ଟିମ ଇଣ୍ଡିଆ ସବୁଠାରୁ ବଡ ଦାବିଦାର ବୋଲି କୁହାଯାଉଛି। ଘରୋଇ ମଇଦାନ ସାଙ୍ଗକୁ ଅଭିଜ୍ଞତା ଦଳକୁ ବିଜୟୀ କରିପାରେ ବୋଲି କୁହାଯାଉଛି। ତେବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ଥାନ ଦଳ ମଧ୍ୟ ବିଶ୍ୱକପ୍‌ ଟାଇଟଲ ହାସଲ କରିବାକୁ ପ୍ରତିନ୍ଦ୍ୱନ୍ଦ୍ୱିତା କରିପାରନ୍ତି। ଏହା ବ୍ୟତୀତ ଆଫଗାନିସ୍ତାନ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକାର ମଧ୍ୟ ସେମାନଙ୍କର ଦାବି ଉପସ୍ଥାପନ କରିବେ।
Share