Categories: ଖେଳ

ବାବରଙ୍କ ଶତକ: ପାକିସ୍ତାନ ୩୧୭/୫

କରାଚୀ, ୨୭ା୧୨: ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ସୋମବାର ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଓ ଆୟୋଜକ ପାକିସ୍ତାନ କ୍ରିକେଟ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତିବା ପରେ ଶୁଷ୍କ ଓ ଧିମା ଉଇକେଟରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ସୋମବାର ଖେଳ ଶେଷସୁଦ୍ଧା ୫ ଉଇକେଟ ବିନିମୟରେ ଦଳ ୩୧୭ ରନ୍‌ କରିଛି।
ଘରୋଇ ଦଳ ପ୍ରଥମେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ ଏକଦା ମାତ୍ର ୪୮ ରନ୍‌ରେ ଏହାର ୩ ଉଇକେଟ ହରାଇ ସାରିଥିଲା। ତେବେ ବାବର ଆଜମଙ୍କ ଅପରାଜିତ ଶତକ ଏବଂ ଡାକରା ପାଇ ଦଳରେ ସାମିଲ ହୋଇଥିବା ସର୍ଫରାଜ ଅହମ୍ମଦ (୮୬ ରନ୍‌) ପାର୍ଟନରଶିପ୍‌ରେ ୧୯୬ ରନ୍‌ ଯୋଗକରି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ବାବରଙ୍କ ଏହା ହେଉଛି ୯ମ ଟେଷ୍ଟ ଶତକ। ସେ ୧୬୧ ରନ୍‌ କରି ଅପରାଜିତ ରହିଛନ୍ତି। ସେ ୧୬ ଚୌକା ଓ ଗୋଟିଏ ଛକା ଲଗାଇଛନ୍ତି। ସୋମବାର ଷ୍ଟମ୍ପ ଅପସାରଣ ବେଳକୁ ତାଙ୍କ ସହିତ ଆଘା ସଲମନ ୩ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି।
ମ୍ୟାଚ୍‌ ପାଇଁ ନିକଟରେ ଇଂଲଣ୍ଡଠାରୁ ୩-୦ରେ ସିରିଜ ହାରିଥିବା ପାକିସ୍ତାନ ଦଳରେ ୩ ପରିବର୍ତ୍ତନ କରାଯାଇଛି। ଅଲ୍‌ଫର୍ମାଟ ଉଇକେଟ୍‌କିପର ମହମ୍ମଦ ରିଜ୍‌ଓ୍ବାନଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ସାମିଲ କରାଯାଇଛି। ୨୦୧୮ ପରେ ଏହା ହେଉଛି ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ। ମୀର୍‌ ହାମ୍‌ଜାଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ନିଆଯାଇଛି। ଏହି ବାମହାତୀ ଫାଷ୍ଟ ବୋଲର ଏହା ପୂର୍ବରୁ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ୨୦୧୮ରେ ଆବୁଧାବିଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଓପ୍‌ନିଂ ବ୍ୟାଟର ଇମାମ୍‌-ଉଲ୍‌ ହକ୍‌ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ଯୋଗୁ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ୮ଉଇକେଟ ପରାଜୟ ମ୍ୟାଚରେ ସେ ଖେଳି ନ ଥିଲେ। ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟରୁ ଆଝାର ଅଲି ଅବସର ନେଇଥିବାରୁ ଶାନ୍‌ ମାସୁଦ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଛନ୍ତି।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ପ୍ରଥମ ଇନିଂସ: ୩୧୭/୫ (ବାବର ଆଜମ-୧୬୧*, ସର୍ଫରାଜ ଅହମ୍ମଦ-୮୬; ମାଇକେଲ ବ୍ରେସ୍‌ଓ୍ବେଲ-୨/୬୧, ଏଜାଜ ପଟେଲ-୨/୯୧)।

Share