ବବିଙ୍କ ଉପରେ ଆଉ ପାଉନି କି ନବୀନଙ୍କ ଭରସା, କମିଟି ତାଲିକାରୁ ହଟିଲା ନାଁ

ଭୁବନେଶ୍ୱର,୨୮ା୯: ବିଜେଡିର ପରାଜୟ ପରେ ଦଳର ପୁରୁଖା ନେତାମାନେ ଏହାର କାରଣ ଖୋଜି ଚାଲିଛନ୍ତି। ଅନ୍ୟପକ୍ଷରେ ଦଳର ମୁଖିଆ ମଧ୍ୟ ସମସ୍ତଙ୍କୁ ଏହାର ହିସାବ ମାଗୁଛନ୍ତି। ଦଳ ପରାଜୟ ବରଣ ପରେ ନବୀନ ଏବେ ଆକ୍ଟିଭ୍‌ ହୋଇଯାଇଛନ୍ତି। ଦଳୀୟ ନେତାମାନଙ୍କୁ ଡାକି ଘନଘନ ବୈଠକ କରୁଛନ୍ତି। ଏହି ବୈଠକରେ ମାନସ ମନ୍ଥନ କରୁଛନ୍ତି ସୁପ୍ରିମୋଙ୍କଠାରୁ ଆରମ୍ଭ କରି ଦଳୀୟ ନେତା।

ଗତ ୨୫ ତାରିଖରେ ବିଜେଡି ତିନି ତିନୋଟି କମିଟି ଘୋଷଣା କରିଥିଲା। ଉପଦେଷ୍ଟା କମିଟି, ସଦସ୍ୟତା ଅଭିଯାନ କମିଟି ଏବଂ କାର୍ଯ୍ୟକ୍ରମ ପରିଚାଳନା କମିଟି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ୩ଟି ଯାକ କମିଟିରେ ଦଳର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏବଂ ଓ ଏମ୍‌ପି ମାନସ ମଙ୍ଗରାଜଙ୍କ ନାଁ ନାହିଁ। ଯାହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି।

କୁହାଯାଉଛି ବବିଙ୍କ ଉପରେ ଆଉ କୁଆଡ଼େ ସୁପ୍ରିମୋ ଭରସା ପାଉନି । ସେଥିପାଇଁ କମିଟି ତାଲିକାରେ ବବିଙ୍କ ନାଁ ନାହିଁ। ସେମିତି ମାନସଙ୍କୁ ମଧ୍ୟ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଏହି ହାରିବାକୁ ନେଇ ଏକ ବଡ଼ ବୟାନ ଦେଇଥିଲେ। ବୌଦ୍ଧ ଜିଲା କଣ୍ଟାମାଳର ପୂର୍ବତନ ବିଧାୟକ ମହୀଧର ରଣା। ସେ କହିଥିଲେ, ଆମ ନିଜ ନିଜ ଭିତରେ ଆକ୍ରୋଶ ମନୋଭାବ ରହିଲା। ଯେଉଁଥିପାଇଁ ଦଳ ପରାଜିତ ହେଲା। ଏଥିସହିତ ନିର୍ବାଚନରେ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲାନାହିଁ। ଦାୟିତ୍ୱ ଓ ଗୁରୁତ୍ୱ ଦିଆ ନ ଯିବାରୁ ଦଳ ହାରିଗଲା। ସବୁଠୁ ବଡ଼ କାରଣ ହେଲା ଭାଜପା ତୁଳନାରେ ବିଜେଡିର ନିର୍ବାଚନୀ ଇସ୍ତାହାର ସେତେଟ ଆଖିଦୃଶିଆ ନ ଥିଲା। ଫଳରେ ଦଳକୁ ପରାଜୟ ଭୋଗିବାକୁ ପଡ଼ିଲା।

ସେହିପରି ପୂର୍ବରୁ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଦଳର ପରାଜୟ ଉପରେ ଖୋଲାଖୋଲି ନିଜ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ସେ କହିଥିଲେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡିର ପରାଜୟବରଣ କରିଛି। ବିଜେଡିର ସବୁ ସ୍ଥାନରେ ଭୋଟ ଅଛି, କିନ୍ତୁ ନବୀନ ବୁଲିଲେନି। ନବୀନ ସମୟ ଦେଇ ନ ପାରିବାରୁ କିଛି ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା। ସେ ଆଉଥରେ ବୁଲିଲେ ସଂଗଠନ ଫେରିଆସିବ ବୋଲି ଆଶା ରହିଛି।

ଏହାପୂର୍ବରୁ ବିଜେଡି ନେତା ପ୍ରଦୀପ ମାଝୀ ବିଜେଡି ପରାଜୟ ପାଇଁ ୩ କାରଣକୁ ଦାୟୀ କରିଥିଲେ। ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା, ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ। ଖରାପ ନିର୍ବାଚନ ପରିଚାଳନାକୁ ସେ ପରାଜୟର ମୁଖ୍ୟ କାରଣ ବୋଲି ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ,ଗତ ନିର୍ବାଚନରେ ବିଜେଡିର ବଡ଼ ପରାଜୟ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ସହ ପ୍ରାୟତଃ ଆଲୋଚନା କରୁଛନ୍ତି। ଦଳର ପରାଜୟ ପାଇଁ ନେତାମାନେ ବିଭିନ୍ନ କାରଣକୁ ଦାୟୀ କରିଛନ୍ତି।

Share