Categories: ଜାତୀୟ

ବାବ୍ରି ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରାଯାଉ: ଇକବାଲ୍‌ ଅନସାରୀ

ନୂଆଦିଲ୍ଲୀ, ୧୭।୯: ବାବ୍ରି ମସଜିଦ୍‌ ଭଙ୍ଗା ମାମଲାରେ ସିବିଆଇର ସ୍ବତନ୍ତ୍ର କୋର୍ଟ ପକ୍ଷରୁ ଅଭିଯୁକ୍ତ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ବିନୟ କଟିଆର, ମହନ୍ତ ନୃତ୍ୟ ଗୋପାଳ ଦାସ, ସାଧ୍ୱୀ ରିତମ୍ଭରା, ଉମା ଭାରତୀଙ୍କ ସମେତ ୩୨ ଜଣ ଅଭିଯୁକ୍ତଙ୍କୁ ସେପ୍ଟେମ୍ବର ୩୦ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏହାକୁ ନେଇ ବାବ୍ରି ମସଜିଦ୍‌ ମାମଲାର ମୁଖ୍ୟ ପକ୍ଷକାର ଇକବାଲ୍‌ ଅନସାରୀ କହିଛନ୍ତି ଯେ, ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ସମସ୍ତ ବିବାଦ ଶେଷ ହୋଇଛି। ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ତେଣୁ ସମସ୍ତ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରାଯାଉ। ଏବେ କେତେକ ଅଭିଯୁକ୍ତଙ୍କର ପରଲୋକ ମଧ୍ୟ ହୋଇ ସାରିଛି। ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବା ପରେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଏହି ମାମଲାରେ ଅଭିଯୁକ୍ତମାନେ ବରିଷ୍ଠ ସମ୍ମାନୀୟ ନେତା ତଥା ବ୍ୟକ୍ତି ବିଶେଷ ସେମାନଙ୍କୁ ସିବିଆଇ ସ୍ବତନ୍ତ୍ର କୋର୍ଟ ମୁକ୍ତ କରିବା ଉଚିତ ବୋଲି ଅନସାରୀ କହିଛନ୍ତି। ଦେଶର ବିକାଶ ପାଇଁ ହିନ୍ଦୁ ମୁସଲମାନ୍‌ ମିଳିତ ଭାବେ କାର୍ଯ୍ୟ କରିବା ସହିତ ଉଭୟ ସମ୍ପ୍ରଦାୟ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ସ୍ଥିତି ରହିବା ଆବଶ୍ୟକ। ଏପରିସ୍ଥଳେ ସିିବିଆ କୋର୍ଟ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

Share