Categories: ଜାତୀୟ

ବିଧାୟକଙ୍କ ସହ ଚମ୍ପାଇ ସୋରେନ ଦଳ ପରିବର୍ତ୍ତନ କଲେ ସରକାରଙ୍କ ପତନ ଘଟିବ! ବଡ଼ ସମୀକରଣ ବିଷୟରେ କହିଦେଲେ ଭାଜପା ନେତା

ରାଞ୍ଚି,୧୯।୮: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଗତ କିଛି ଦିନ ହେବ ଏହି ପ୍ରସଙ୍ଗରେ ରାଜନୈତିକ ଚର୍ଚ୍ଚା କ୍ରମାଗତ ଭାବରେ ହେଇଆସିଛି। ଏହି ସମୟରେ ଝାଡଖଣ୍ଡ ଭାଜପା ସଭାପତି ବାବୁଲାଲ ମାରାଣ୍ଡି ଚମ୍ପାଇ ସୋରେନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଚମ୍ପାଇ ସୋରେନଙ୍କୁ ପ୍ରଶଂସା କରଥିବା ବେଳେ ସିଏମ ହେମନ୍ତ ସୋରେନଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଝାଡଖଣ୍ଡ ଭାଜପା ସଭାପତି ତଥା ପୂର୍ବତନ ସିଏମ ବାବୁଲାଲ ମାରାଣ୍ଡି କହିଛନ୍ତି, ଚମ୍ପାଇ ସୋରେନ ଏକ୍ସରେ ଯାହା ପୋଷ୍ଟ କରିଛନ୍ତି ତାହା ତାଙ୍କ ଦୁଃଖ ଏବଂ ଯନ୍ତ୍ରଣାକୁ ଦର୍ଶାଉଛି। ତାଙ୍କୁ ଅପମାନିତ କରାଯାଇଛି। ବାଧ୍ୟତାମୂଳକ ଭାବେ ସିଏମ ଚେୟାରରୁ ବାହାର କରାଯାଇଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯାହା ଚାଲିଛି ତାହା ଦଳର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ।

ବାବୁଲାଲ ଆହୁରି କହିଛନ୍ତି, ହେମନ୍ତ ସୋରେନଙ୍କ ପାଖରେ ସର୍ବାଧିକ ଟଙ୍କା ଅଛି। ସେ କୋଇଲା, ବାଲି, ଲୁହା, ଜମି, ଟ୍ରାନ୍ସଫର-ପୋଷ୍ଟିଂରୁ ଟଙ୍କା ରୋଜଗାର କରିଛନ୍ତି। ହେମନ୍ତ ନିଜ ଲୋକଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କର ନେତାମାନେ ବିକ୍ରି ହେଉଛନ୍ତି।

ସେ ଆହୁରି କହିଛନ୍ତି, ଚମ୍ପାଇ ସୋରେନ ଲୋଭୀ ନୁହଁନ୍ତି। ବର୍ତ୍ତମାନ ଆମେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛୁ। ଲୋକସଭା ନିର୍ବାଚନରେ ଆମେ ୮୧ଟି ବିଧାନସଭା ଆସନ ମଧ୍ୟରୁ ୫୧ରେ ଆଗରେ ରହିଥିଲୁ। ଏଥର ଭାଜପା ସରକାର ଗଠନ ହେବାକୁ ଯାଉଛି।

ଅନ୍ୟପଟେ ବାବୁରାମଙ୍କୁ ପ୍ରଶ୍ନ କରାଯାଇଥିଲା ଯଦି ଚମ୍ପାଇ ସୋରେନଙ୍କ ସମେତ କିଛି ବିଧାୟକ ଦଳ ପରିବର୍ତ୍ତନ କରନ୍ତି, ତେବେ ସରକାର ଖସିପାରିବେ କି? ଏହା ଉପରେ ସେ କହିଛନ୍ତି ଯେ ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ।

Share