କେବଳ ପ୍ରକୃତି ନୁହନ୍ତି, ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବି ନାହିଁ: ବାବୁସାନ

ଭୁବନେଶ୍ୱର,୨୪।୭: ପାରିବାରିକ କଳହ ଗଣମାଧ୍ୟମର ଶିରୋନାମା ପାଲଟିବା ପରେ ଭିଡିଓ ବାର୍ତ୍ତା ଜରିଆରେ ମନ କଥା କହିଛନ୍ତି ଅଭିନେତା ବାବୁସାନ ମହାନ୍ତି। ସେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଉ କାମ କରିବେ ନାହିଁ। କେବଳ ସେ ନୁହନ୍ତି, ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ଫିଲ୍ମ କରିବେ ନାହିଁ ବୋଲି ବାବୁସାନ ପ୍ରାୟ ୫୦ ସେକେଣ୍ଡର ଏକ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି।

ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଖୁସି ହେଉଥିବେ। ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବାକୁ। ମୋ ସହ ପ୍ରକୃତି ମିଶ୍ର ମଧ୍ୟ ଅତିଥି ହୋଇଥିଲେ। ମୁଁ ଏଠାକୁ ଆସିଥିଲି ମୋ ଫିଲ୍ମର ପ୍ରମୋଶନ ପାଇଁ ଓ ତାଙ୍କ ସହ ଏକ ନୂଆ ଫିଲ୍ମର ଘୋଷଣା କରିବାକୁ। ମୁଁ ଜାଣି ନ ଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି। ଯଦି ଏତେ ଅସୁବିଧା ଅଛି, ତା’ହେଲେ ମୁଁ ସେ ଫିଲ୍ମଟି କରିବିନି ଓ ତାଙ୍କ (ପ୍ରକୃତି ମିଶ୍ରଙ୍କ) ସହ ମଧ୍ୟ ସିନେମା କରିବିନି। ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ କାମ କରିବି ନାହିଁ ବୋଲି ଭିଡିଓରେ ବାବୁଶାନ କହିଛନ୍ତି।

ପ୍ରକାଶ ଯେ, ଶନିବାର ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ବାବୁଶାନ ଓ ପ୍ରକୃତି ମିଶ୍ର କାର୍‌ରେ ଯାଉଥିବା ବେଳେ ସ୍ତ୍ରୀ ତୃପ୍ତି ତାଙ୍କୁ ଅଟକାଇଥିଲେ। ଏହି ସମୟରେ ଉଭୟଙ୍କୁ ସେ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ଘଟଣା ନେଇ ପ୍ରକୃତିଙ୍କ ବାପାମା’ ଖାରବେଳ ନଗର ଥାନାରେ ବାବୁଶାନଙ୍କ ଶ୍ୱଶୁର ଓ ପତ୍ନୀଙ୍କ ନାଁରେ ଏତଲା ଦେଇଥିଲେ। ଅନ୍ୟପକ୍ଷରେ ବାବୁଶାନଙ୍କ ପତ୍ନୀ ମଧ୍ୟ ଶାଶୁ ଅପରାଜିତା ମହାନ୍ତିଙ୍କ ସହିତ ଖାରବେଳ ନଗର ଥାନାକୁ ଯାଇ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Share