Categories: ଖେଳ

ଧାଓ୍ବନଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ‘ବେବି ଏବି’, ରଚିଲେ ଇତିହାସ

ନୂଆଦିଲ୍ଲୀ,୪।୨: ଏବି ଡି’ଭିଲିୟର୍ସ ବିଶ୍ୱର ସବୁଠାରୁ ପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ଜଣେ। କ୍ରିକେଟରଙ୍କ ଅବସରକୁ ଏକ ବର୍ଷ ପୁରି ନ ଥିବା ବେଳେ ଏବେ କ୍ରିକେଟ ଦୁନିଆରେ ଡିଓ୍ବାଲ୍ଡ ବ୍ରେଭିସ୍‌ ତାଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ। ତାଙ୍କୁ ‘ବେବି ଏବି’ ମଧ୍ୟ କୁହାଯାଉଛି। ଦକ୍ଷିଣ ଆଫ୍ରିକାର ଏହି ଯୁବ ଅଲରାଉଣ୍ଡର ଇତିହାସ ରଚିଛନ୍ତି। ଆଇସିସି ଅଣ୍ଡର ୧୯ ବିଶ୍ୱକପ୍‌ର ଏକ ସଂସ୍କରଣରେ ସର୍ବାଧିକ ରନ୍‌ ସଂଗ୍ରହ କରି ସେ ଭାରତୀୟ କ୍ରିକେଟର ଶିଖର ଧାଓ୍ବନଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଗୁରୁବାର ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ବ୍ରେଭିସ୍‌ ୧୩୮ ରନ୍‌ର ଇନିଂସ ଖେଳିଥିଲେ। ଏଥିସହ ସେ ଏହି ବିଶ୍ୱକପ୍‌ରେ ମାତ୍ର ୬ ମ୍ୟାଚ୍‌ରେ ୫୦୬ ରନ୍‌ କରିବାର ରେକର୍ଡ କରିଛନ୍ତି। ଏଥିରେ ୨ ଶତକ ଏବଂ ୩ ଅର୍ଦ୍ଧଶତକ ମାରିଛନ୍ତି। ଏଥିସହ ବ୍ରେଭିସ୍‌ ବୋଲିଂରେ ମଧ୍ୟ କମାଲ କରି ୭ ଉଇକେଟ ହାସଲ କରିଛନ୍ତି। ଫଳରେ ଅଣ୍ଡର-୧୯ ବିଶ୍ୱକପ୍‌ର କୌଣସି ସଂସ୍କରଣରେ ସର୍ବାଧିକ ରନ୍‌ ସ୍କୋର କରିବାର ରେକର୍ଡ ଏବେ ଏହି କ୍ରିକେଟରଙ୍କ ନାମରେ ହୋଇଯାଇଛି। ତାଙ୍କ ପୂର୍ବରୁ ଧାଓ୍ବନଙ୍କ ନାମରେ ଏହି ରେକର୍ଡ ଥିଲା। ସେ ବିଶ୍ୱକପ୍‌ରେ ୭ ମ୍ୟାଚ୍‌ ଖେଳି ୫୦୫ ରନ୍‌ କରିଥିଲେ।

Share