ସହାୟତା ଅପେକ୍ଷାରେ ଶିଶୁପୁତ୍ର ରିତେଶ

କାମାକ୍ଷାନଗର,୨୨।୮(ସୁଧୀର କୁମାର ପରିଡା): ବୟସ ମାତ୍ର ଦେଢବର୍ଷ। ହେଲେ ଖରାପ ହୋଇଯାଇଛି ୨ କିଡ୍‌ନୀ। ଫଳରେ ଶିଶୁପୁତ୍ର ରିତେଶକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅରଖପାଳ ପଞ୍ଚାୟତ ଖୁରୁଶିଆ ଗ୍ରାମର ହେମନ୍ତ କୁମାର ସେଠୀ ଓ ମିତାଞ୍ଜଳି ସେଠୀ। ପୁଅର ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଗୁଡ଼ାଏ ଅର୍ଥ ଖର୍ଚ୍ଚ କରିବା ପରେ ଏବେ ସେମାନଙ୍କ ହାତ ସମ୍ପୂର୍ଣ୍ଣ ଖାଲି। ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ଶେଷରେ ନିଜ ଦେଢବର୍ଷର ଶିଶୁପୁତ୍ରକୁ ଧରି ସମ୍ପୃକ୍ତ ଦମ୍ପତି ସୋମବାର ଢେଙ୍କାନାଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳ ସ୍ବାସ୍ଥ୍ୟବିଭାଗ ସହ ପରାମର୍ଶ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଳେ। ଏଥିସହିତ ବିଜୁ ସ୍ବାସ୍ଥ୍ୟ କାର୍ଡ ଜରିଆରେ ରିତେଶଙ୍କ ଚିକିତ୍ସା କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ।
ଦମ୍ପତିଙ୍କ କହିବା ଅନୁଯାୟୀ, ରିତେଶଙ୍କ ପରିସ୍ରା ଠିକ୍‌ ଭାବେ ନ ହେବାରୁ ପ୍ରଥମେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ସେଠାରୁ ଡାକ୍ତରଙ୍କ ପରାମର୍ଶକ୍ରମେ କଟକସ୍ଥିତ ଶିଶୁଭବନ ନେଇ ପୁଅକୁ ଦେଖାଇଥିଲେ। ରିତେଶଙ୍କ ୨ କିଡ୍‌ନୀ ଖରାପ ହୋଇଥିବା ସେଠାରେ ଜଣାପଡ଼ିଥିଲା। ଏହାପରେ ରିତେଶଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ନେଇଥିଲେ। ମାତ୍ର ଚିକିତ୍ସାରେ କୌଣସି ତତ୍ପରତା ଦେଖା ନ ଯିବାରୁ ସେମାନେ ଏକ ଘରୋଇ ଚିିକିତ୍ସାଳୟକୁ ଯାଇଥିଲେ। ବିଜୁ ସ୍ବାସ୍ଥ୍ୟକାର୍ଡ ସହ ଶିଶୁର କାର୍ଡ ସଂଯୁକ୍ତ ନ ଥିବାରୁ ଯାହା କିଛି ଅର୍ଥ ଥିଲା ଘରୋଇ ଚିକିତ୍ସାଳୟରେ ଶେଷ ହୋଇଯାଇଥିଲା। ତେଣୁ ଅଧିକ ଚିକିତ୍ସା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସହ ସହୃଦୟ ବ୍ୟକ୍ତିମାନଙ୍କ ସହଯୋଗ ଲୋଡ଼ିଥିବା ରିତେଶଙ୍କ ମା’ବାପା ପ୍ରକାଶ କରିଛନ୍ତି।

Share