୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ପାରାଦୀପ,୫ା୭: ଜଗତ୍‌ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା ପୁଅଙ୍କୁ ଶୁକ୍ରବାର ଭାଇଜାଗରୁ ଉଦ୍ଧାର ପରେ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ନିଜେ ଦଲାଲ ପାରାଦୀପ ଆଣିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଘଟଣା ପ୍ରଘଟ ପରଠାରୁ ନବଜାତକଙ୍କ ମା’ ଗାଏବ ଅଛନ୍ତି। ବର୍ତ୍ତମାନ ନବଜାତ କେଉଁଠି, କାହା ପାଖରେ ରହିବ ସେନେଇ ସିଡବ୍ଲୁସି ନିଷ୍ପତ୍ତି ନେବ ବୋଲି ଜଣାପଡିଛି।

ସୂଚନା ଯୋଗ୍ୟ, ଜୁନ ୨୯ (ଶନିବାର) ରାତିରେ ବିଜୁ ମେମୋରିଆଲ ହସ୍ପିଟାଲରେ ଶିଶୁପୁତ୍ର ଜନ୍ମ ହୋଇଥିଲା। ପରେ ମା’ ଓ ନବଜାତକ ପୁତ୍ର ନୂଆବଜାର ନୋଳିଆସାହି ବସ୍ତିରେ ଜଣେ ବ୍ୟକ୍ତିଙ୍କ ଘରେ ଆସି ରହିଥିଲେ। ସେଠାରେ ମହିଳା ଜଣକ ୬ ମାସ ହେଲା ରହିଆସୁଥିବା ବେଳେ ତାଙ୍କର ସମସ୍ତ ଖର୍ଚ୍ଚ ଆଶ୍ରୟ ଦେଇଥିବା ବ୍ୟକ୍ତି ଜଣକ ବହନ କରିଆସୁଥିଲେ। ଉକ୍ତ ବ୍ୟକ୍ତି ଜଣକ ଘରେ ନ ଥିବାବେଳେ ଶିଶୁପତ୍ରଙ୍କ ମା’ ସୋମବାର ଅନ୍ୟଜଣଙ୍କୁ ବିକ୍ରି କରିଦେଇଥିବା ଜଣାପଡ଼ିଛି। ତେବେ ଆଶ୍ରୟ ଦେଇଥିବା ବ୍ୟକ୍ତି ଜଣକ ଘରକୁ ଫେରିବା ପରେ ଶିଶୁବିକ୍ରି ଘଟଣା ପ୍ରଘଟ ହୋଇଛି।

Share