ଗର୍ଭାଶୟରେ ଶିଶୁର ବ୍ରେନ୍‌ ସର୍ଜରି

ଓ୍ବାଶିଂଟନ୍‌, ୬।୫: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଛି। ପ୍ରଥମଥର ପାଇଁ ବିଶ୍ୱରେ ଜଣେ ଗର୍ଭସ୍ଥ ଶିଶୁର ମସ୍ତିଷ୍କରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି। ଆମେରିକାର ଏକ ଡାକ୍ତରୀ ଟିମ୍‌ ଗର୍ଭାଶୟ ଭିତରେ ଶିଶୁର ବ୍ରେନ୍‌ ସର୍ଜରି କରି ଏବେ ପ୍ରଶଂସା ସାଉଁଟିଛନ୍ତି। ଉକ୍ତ ଗର୍ଭସ୍ଥ ଶିଶୁ ବିରଳ ଭେନସ୍‌ ଅଫ୍‌ ଗାଲେନ୍‌ ମାଲଫର୍ମେଶନ୍‌ ରୋଗରେ ଆକ୍ରାନ୍ତ ଥିବାବେଳେ ଜୀବନ ରକ୍ଷା ପାଇଁ ଅପରେଶନ୍‌ ଜରୁରୀ ଥିଲା। ବ୍ରିଘାମ ଆଣ୍ଡ ଓମେନ୍ସ ହସ୍ପିଟାଲ ଓ ବୋଷ୍ଟୋନ୍‌ ଚିଲ୍‌ଡ୍ରେନ୍ସ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯାଇଛି।
ଗର୍ଭରେ ଥିବା ଶିଶୁର ମସ୍ତିଷ୍କରୁ ରକ୍ତ ଯେଉଁ ଶିରା ଦେଇ ହୃତ୍‌ପିଣ୍ଡକୁ ଯିବା କଥା, ତାହାର ବିକାଶ ଠିକ୍‌ ଭାବେ ନ ହେବାକୁ ଭେନସ୍‌ ଅଫ୍‌ ଗାଲେନ୍‌ ମାଲଫର୍ମେଶନ ବୋଲି କୁହାଯାଏ। ଏହା ଏକ ଜଟିଳ ରୋଗ। ଏଥିରେ ଆକ୍ରାନ୍ତ ଶିଶୁ ଜନ୍ମ ହେବା ପରେ ହୃଦ୍‌ରୋଗରେ ପୀଡ଼ିତ ହେବା ଆଶଙ୍କା ବେଶି। ପ୍ରାୟ କ୍ଷେତ୍ରରେ ଶିଶୁର ବଞ୍ଚିବାର ସମ୍ଭାବନା କ୍ଷୀଣ ବୋଲି ଡାକ୍ତର କହିଛନ୍ତି। ନିୟମିତ ଅଲଟ୍ରାସାଉଣ୍ଟ ଚେକ୍‌ଅପ୍‌ ସମୟରେ ମା’ଙ୍କ ଗର୍ଭାଶୟରେ ଥିବା ଉକ୍ତ ଶିଶୁର ମସ୍ତିଷ୍କ ଶିରା ବିକାଶରେ ସାମାନ୍ୟ ତ୍ରୁଟି ଥିବା ଜଣାପଡ଼ିଥିଲା। ହୃତ୍‌ପିଣ୍ଡକୁ ରକ୍ତ ପ୍ରବାହ ଠିକ୍‌ଭାବେ ହେଉ ନ ଥିବାରୁ ଶିଶୁର ମୃତ୍ୟୁ ନେଇ ଆଶଙ୍କା ବଢ଼ିଯାଇଥିଲା। ଏହାପରେ ଶିଶୁ ଜୀବନ ରକ୍ଷା ପାଇଁ ଅଲ୍‌ଟ୍ରାସାଉଣ୍ଡ ଗାଇଡାନ୍ସ ଜରିଆରେ ବ୍ରେନ୍‌ର ଅସ୍ତ୍ରୋପଚାର ନିଷ୍ପତ୍ତି ନିଆଯାଇଥିଲା। ମାସେ ତଳେ ସୁରକ୍ଷିତ ଭାବେ ଶିଶୁଟି ଜନ୍ମ ନେଇଥିଲା।
ତେବେ ଉକ୍ତ ଆସ୍ତ୍ରୋପଚାର ସମୟରେ ଶିଶୁର ବ୍ରେନ୍‌ରେ ଆଘାତ ଏବଂ ହୃତ୍‌ପିଣ୍ଡ ଅକାମୀ ହୋଇଯିବାର ବଡ଼ ଆଶଙ୍କା ଥିବା ବୋଷ୍ଟୋନ୍‌ ଚିଲ୍‌ଡ୍ରେନ୍‌ସ ହସ୍ପିଟାଲର ରେଡିଓଲୋଜିଷ୍ଟ ଡା. ଡାରେନ୍‌ ଓର୍ବାଚ କହିଛନ୍ତି।

Share