୬୨ ଟିକିଆ ହାତୀପଲରେ ଶାବକ ଜନ୍ମଦେଲା ମାଈହାତୀ

ବେତନଟୀ,୨୮ା୧୦(ସ୍ବ.ପ୍ର.):  ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ କ୍ଷୀରପଦା ଜଙ୍ଗଲରେ ଗୁରୁବାର ରାତିରେ ଗୋଟେ ମାଈ ହାତୀ ଶାବକ ଜନ୍ମ ଦେଇଛି। ମା ଓ ଛୁଆକୁ ସୁରକ୍ଷା ଦେବା ପାଇଁ ହାତୀପଲ ଜଗି ରହିବା ସହ ଉଗ୍ର ହୋଇ ଉଠିଛନ୍ତି।

ସୂଚନା ମୁତାବକ ୧୦ଦିନ ପୂର୍ବରୁ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ୧୦୦ରୁ ଅଧିକ ହାତୀ ଓଡ଼ିଶା ଭିତରକୁ ପ୍ରବେଶ କରି ଚାରିଆଡ଼େ ଖେଳି ଯାଇଥିଲେ। ହେଲେ ସେହି ଭିତରୁ ସପ୍ତାହ ଧରି ଏକ ୬୨ ଟିକିଆ ହାତୀପଲ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ନଡ଼ପୁର ଜଙ୍ଗଲ ଓ କ୍ଷୀରପଦା ଜଙ୍ଗଲରେ ରହି ବ୍ୟାପକ ଉପଦ୍ରବ କରୁଛନ୍ତି।

ଆଜି ପୁଣି ୭ ଦିନର ବ୍ୟବଧାନ ପରେ ହାତୀପଲରେ ଜଣେ ନୂଆ ସଦସ୍ୟ ଆସିଛି । ଗୁରୁବାର ରାତିରେ କ୍ଷୀରପଦା ଜଙ୍ଗଲ ଭିତରେ ଏକ ଗାଉଁଲି ରାସ୍ତା ପାର୍ଶ୍ୱରେ ହାତୀ ଛୁଆ ଜନ୍ମ କରିଛି । ମା’ ଓ ଛୁଆ ହାତୀ ସୁରକ୍ଷା ଦେବାକୁ ହାତୀପଲ ଜଗି ରହିବା ସହ ଉଗ୍ର ହୋଇ ଉଠିଛନ୍ତି । ପୁଣି ଶାବକ ହାତୀ ସମ୍ପୂର୍ଣ୍ଣ ଭାବେ ନ ଚାଲିବା ପର୍ଯ୍ୟନ୍ତ ହାତୀପଲ ଉକ୍ତ ଜଙ୍ଗଲ ଛାଡ଼ି ଯିବାର ସମ୍ଭାବନା ମଧ୍ୟ ନାହିଁ। ହାତୀପଲ ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି। ହାତୀପଲରେ ଛୁଆ ହାତୀ ଥିବାରୁ ସେମାନେ ଆକ୍ରମଣାତ୍ମକ ଢଙ୍ଗରେ ଅଛନ୍ତି। ଲୋକଙ୍କୁ ହାତୀପଲ ନିକଟକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି। କ୍ଷୀରପଦା ଅଞ୍ଚଳରେ ହାତୀପଲକୁ ନେଇ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି।

Share