ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା

ମାଲକାନଗିରି,୧।୭: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଜଙ୍ଗଲରୁ ସୋମବାର ଜଣେ ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶିଶୁକନ୍ୟାଙ୍କୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଉଦ୍ଧାର ଶିଶୁ କନ୍ୟା ୨ରୁ ୩ ବର୍ଷର ମଧ୍ୟରେ ହେବା ବୋଲି ଅନୁମାନ କରାଯାଉଛି । ହେଲେ ଶିଶୁକନ୍ୟାଙ୍କ ପରିଚୟ ମିଳିପାରି ନାହିଁ।

ମିଳିଥିବା ସୂଚନା ମୁତାବକ, ମାଲକାନଗିରି ସ୍ବାଭିମାନ ଅଞ୍ଚଳ ଡାଇକ-୩ ନିକଟ ଜଙ୍ଗଲରେ ଶିଶୁକନ୍ୟା ଏକାକି ବସିଥିବା ବେଳେ, ମାଛ ଧରିବାକୁ ଯାଇଥିବା ସୁକଲଦେଇ ହନ୍ତାଲ ଓ ମଙ୍ଗୁଳି ମାଝି ତାଙ୍କୁ ଦେଖିବାକୁ ପାଇଥିଲେ। ପରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ଘରକୁ ନେଇ ସେବାଯତ୍ନ କରିଥିଲେ। ସୋମବାର ସେମାନେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଶିଶୁକନ୍ୟାଙ୍କୁ ନେଇଥିଲେ।

ସେଠାରେ ସେମାନେ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଥିବା ସମ୍ପୂର୍ଣ୍ଣ ଘଟଣା ବର୍ଣ୍ଣନା କରିଥିଲେ। ଏହି ଘଟଣାକୁ ଜିଲାପାଳ ଗୁରୁତ୍ୱର ସହ ନେଇଥିଲେ। ଶିଶୁ କନ୍ୟାଙ୍କ ରକ୍ଷଣାବେକ୍ଷଣା କରିବା ପାଇଁ ସିଡିଏମ୍‌ଓ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲା ପ୍ରଶାସନ ପକ୍ଷରୁ ଶିଶୁ କନ୍ୟାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।