ଦୁର୍ଘଟଣାରେ ଗଲା ଶିଶୁକନ୍ୟାଙ୍କ ଜୀବନ, ଟ୍ରକ ଜାଳି ଦେଲେ ଲୋକେ

ଝାରସୁଗୁଡ଼ା ଅଫିସ,୨୦।୮: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାର ଛତ୍ରିଆକଣ୍ଟା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଏକ ମାଲବୋଝେଇ ଟ୍ରକ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ୫ ବର୍ଷୀୟା ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ। ମୃତକ ହେଲେ ଛତ୍ରିଆକଣ୍ଟା ଗ୍ରାମର ତ୍ରିଷା ଓରାମ(୫)। ଆହତ ହେଲେ ବାବୁଲା ଓରାମ(୩୬), ତନୁଶ୍ରୀ ଓରାମ (୬) ବୋଲି ଜଣାପଡିଛି । ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡମେଡିକାଲ ପଠାଯାଇଛି।

ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିବା ସହ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ (ନଂ.ଓଡି-୧୪କେ୩୪୪୦) ଓ ବାଇକ୍‌ (ନଂ.ଓଆର୍‌ ୨୩ଡି ୯୩୭୪ ) ପୋଲିସ ଜବତ କରିଛି । ଏନେଇ ଝାରସୁଗୁଡା ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମୃତ ନାବାଳିକା ତ୍ରିଷା ହେଉଛନ୍ତି ଆହତ ବାବୁଲାଙ୍କ ଝିଆରୀ ଓ ଆହତ ତନୁଶ୍ରୀ ହେଉଛନ୍ତି ଝିଅ। ବାବୁଲା ବାଇକ୍‌ରେ ଝିଆରୀ ଓ ଝିଅକୁ ବସାଇ ଗାଁରୁ ହସ୍ପିଟାଲ ରାସ୍ତାକୁ ଉଠୁଥିବା ବେଳେ ଟ୍ରକ ଧକ୍କା ଦେଇଥିଲା।