ପୁଣେ,୩୦।୪ : ମା’ର ମୃତଦେହ ପାଖରେ ଦୁଇ ଦିନ ଧରି କାନ୍ଦୁଥିଲା ଶିଶୁ। ପଡୋଶୀମାନେ ଜାଣିଲା ପରେ ମଧ୍ୟ କୋଭିଡ୍ ଭୟରେ ଘର ମାଡ଼ୁ ନ ଥିଲେ। ଶେଷରେ ଘର ମାଲିକ ଠାରୁ ଖବର ପାଇବା ପରେ ଶିଶୁକୁ ଉଦ୍ଧାର କରିଛି ପୋଲିସ। ଏଭଳି ବିକଳ ଦୃଶ୍ୟ ମହାରାଷ୍ଟ୍ରର ପୁଣେର ପିମ୍ପରି ଚିଞ୍ଚଓ୍ବାଡରୁ ସାମ୍ନାକୁ ଆସିଛି।
ଖବର ପାଇ ପୋଲିସ ସୋମବାର ଘର କବାଟ ଭାଙ୍ଗି ମହିଳାଙ୍କ ମୃତଦେହ ନିକଟରୁ ଶିଶୁକୁ ଉଦ୍ଧାର କରିଥିଲା। ମହିଳାଙ୍କ ମୃତ୍ୟୁ ଶନିବାର ହୋଇଥିବା ସନ୍ଦେହ କରାଯାଉଛି। ଏହାର ଅର୍ଥ ବିନା ଖାଦ୍ୟ ଓ ଜଳରେ ବଞ୍ଚିଯାଇଛି ୧୮ ମାସର ଶିଶୁ। ଉଦ୍ଧାର ପରେ ପଡ଼ୋଶୀମାନେ ଶିଶୁକୁ ଧରିବାକୁ ମଧ୍ୟ ମନା କରି ଦେଇଥିଲେ। ଫଳରେ ଶିଶୁକୁ ଖୁଆଇଥିଲେ ପୋଲିସ କନଷ୍ଟେବଳ ସୁଶିଲା ଗାଭାଲେ ଓ ରେଖା ଓ୍ବାଜେ। ତେବେ ଶିଶୁଟି ଜ୍ୱରରେ ପୀଡ଼ିତ ଥିବା ଜଣାପଡ଼ିଛି।