ବାଚସ୍ପତିଙ୍କୁ ଅସମ୍ମାନ କରାଯାଇଛି : ବିଜେଡି

ସମ୍ବଲପୁର,୧।୧୦(ଶୁଭାଶିଷ ପାଢ଼ୀ): ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଅସମ୍ମାନ ଘଟଣାରେ ଭାଜପା ବିଧାୟକଙ୍କ ବିରୋଧରେ ପ୍ରତିବାଦ କରୁଛି ବିଜେଡି। ଏ ନେଇ ସମ୍ବଲପୁର ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇ ସମ୍ପୃକ୍ତ ବିଧାୟକଙ୍କ ଆଚରଣକୁ ନିନ୍ଦା କରାଯାଇଛି। ବିଜେଡି କର୍ମକର୍ତ୍ତାମାନେ ଦର୍ଶାଇଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତୀକରଣକୁ ପ୍ରାଥମିକତା ଦେଉଛନ୍ତି। ସ୍ବାଧୀନତା ପରେ ଓଡ଼ିଶାର ପ୍ରଥମ ମହିଳା ଭାବେ ପ୍ରମିଳାଙ୍କୁ ବାଚସ୍ପତି ଆସନରେ ବସାଇଛନ୍ତି। ହେଲେ ମହିଳା ସଶକ୍ତୀକରଣକୁ ଭାଜପା ଗ୍ରହଣ କରିପାରୁ ନାହିଁ। ବିଧାନସଭା ଭଳି ପବିତ୍ର ଗୃହରେ ବାଚସ୍ପତିଙ୍କୁ ଅସମ୍ମାନ କରି କଳା ଅଧ୍ୟାୟ ସୃଷ୍ଟି କରିଛି। ଗୃହର ଗରିମା ଭାଙ୍ଗି ମହିଳା ବାଚସ୍ପତିଙ୍କୁ ଯେଭଳି ଭାବରେ ଭାଜପାର ଦୁଇ ବିଧାୟକ ଅସମ୍ମାନ କଲେ ତାହା ନିନ୍ଦନୀୟ। ଗୋଟିଏପଟେ କେନ୍ଦ୍ର ସରକାର ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍‌କୁ ଗୃହୀତ କରାଇଛନ୍ତି। ହେଲେ ରାଜ୍ୟରେ ଭାଜପା ବିଧାୟକ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରୁଛନ୍ତି। ଏହା ଭାଜପା ନେତାଙ୍କ ଅସଲ ଚେହେରାକୁ ପଦାରେ ପକାଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଭାଜପା ବିଧାୟକ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ। ବିଜେଡି ଜିଲା ମହିଳା ସଭାନେତ୍ରୀ ବନ୍ଦିତା ରାଣୀ ମିଶ୍ର, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ସିପ୍ରା ମହାନ୍ତି, ସୁରେଖା ସାହୁ, ଉଷା ପ୍ରଧାନ, ବସନ୍ତ ମିଶ୍ର, ସତୀଶ ବିଶି, ଜଗନ୍ନାଥ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ ।