ମିଠାର ନାଁ ‘ବଚପନ କା ପ୍ୟାର’ । ଶୁଣିଲେ ହସ ଲାଗିବ। ମାତ୍ର ଏହା ସତ। ଗୁଜରାଟର ସୁରଟରେ ‘ବଚପନ କା ପ୍ୟାର’ ନାମକ ମିଠା ବିକ୍ରି ହେଉଛି। ଏହାର ଦାମ୍ ରହିଛି ୫୮୦ ଟଙ୍କା। ଏହାକୁ ଦେଖିବାକୁ ଏବଂ କିଣିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗୁଛି। ଏହି ମିଠାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।
କାରଣ କିଛିଦିନ ତଳେ ସୋସିଆଲ ମିଡିଆରେ ଜଣେ ଛୋଟ ଶିଶୁଙ୍କ କଣ୍ଠରେ ‘ବଚପନ କା ପ୍ୟାର’ ଗୀତ ଖୁବ୍ ଭାଇରାଲ ହୋଇଥିଲା। ଖୁବ୍ କମ୍ ଦିନ ଭିତରେ ଏହି ଗୀତଟି ବହୁତ ଜନାଦୃତ ହୋଇଥିଲା। ଏହି ଗୀତର ଚାହିଦାକୁ ଦେଖି ଦୋକାନୀ ମଧ୍ୟ ଗୀତ ନାମରେ ମିଠାର ନାଁ ଦେଇଛନ୍ତି ‘ବଚପନ କା ପ୍ୟାର’।
ବିଶେଷକରି ରକ୍ଷାବନ୍ଧନ ଉପଲକ୍ଷେ ଏହି ମିଠା ବିକ୍ରି ହେଉଛି। ଭଉଣୀ-ଭାଇଙ୍କ ମଧ୍ୟରେ ଏହି ମିଠା ପିଲାଦିନର ସ୍ମୃତିକୁ ଉଜ୍ଜୀବିତ କରିବ। ଏହି ମିଠା ପ୍ରସ୍ତୁତ କରିଥିବା ଦୋକାନୀ ରାଧା କୁହନ୍ତି, ଏଥିରେ ବବଲ୍ଗମ୍ର ଫ୍ଲେଭର ଦିଆଯାଇଛି। ଯାହା ଅଧିକ ସମୟ ପର୍ଯ୍ୟନ୍ତ ପିଲାମାନଙ୍କ ପାଟିରେ ରହିବ ଆଉ ପିଲାଦିନର କଥା ମନେ ପଡ଼ିବ। ଏଥିପାଇଁ ଏହି ମିଠାର ନାମ ‘ବଚପନ କା ପ୍ୟାର’ ରଖାଯାଇଛି ବୋଲି ଦୋକାନୀ କୁହନ୍ତି।
ଖାଲି ଏତିକି ନୁହେଁ, ଏହି ଦୋକାନରେ ୯୦୦୦ ଟଙ୍କାର ମିଠା ମଧ୍ୟ ବିକ୍ରି ହେଉଛି। ଏଥିରେ ସୁନାର ପ୍ରଲେପ ଦିଆଯାଇଛି। ଏହି ମିଠା ନେବାକୁ ମଧ୍ୟ ବହୁ ଗ୍ରାହକ ଅର୍ଡର କରୁଛନ୍ତି। ଖାଲି ଦେଶ ନୁହେଁ, ବିଦେଶରୁ ମଧ୍ୟ ତାଙ୍କ ଦୋକାନରୁ ମିଠା ନେବା ପାଇଁ ଅର୍ଡର ଆସୁଛି ବୋଲି ରାଧା କୁହନ୍ତି।