ପ୍ରେମିକାଙ୍କ ଘର ପଛରୁ ମିଳିଲା ପ୍ରେମିକଙ୍କ ମୃତଦେହ

ସମ୍ବଲପୁର,୧୬ା୬(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଖଇରମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜୁନ ୧୯ରେ ବିବାହ ସ୍ଥିର ହୋଇଥିବା ବେଳେ ଏହାର ଦୁଇଦିନ ପୂର୍ବରୁ ଗୁରୁବାର ପ୍ରେମିକ ଅଶୋକ ସାହୁ(୩୨)ଙ୍କ ମୃତଦେହ ପ୍ରେମିକାଙ୍କ ଘର ବାରିପଟୁ ପୋଲିସ ଜବତ କରିଛି। ଅଶୋକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବଡଭାଇ ସରୋଜ ଅଭିଯୋଗ କରିଛନ୍ତି। ଯୁବତୀ ଜଣଙ୍କ ଅଶୋକଙ୍କୁ ଘରକୁ ଡାକି ପରିବାର ସହ ମିଶି ହତ୍ୟା କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ପ୍ରେମିକା, ତାଙ୍କ ଭାଇ ଓ ମାଆଙ୍କୁ ପୋଲିସ ଅଟକ ରଖିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି, ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି।

ସରୋଜଙ୍କ ଅଭିଯୋଗ କ୍ରମେ ପ୍ରାୟ ୫ବର୍ଷ ହେବ ଅଶୋକ ଓ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଏ ସମ୍ପର୍କରେ ଉଭୟ ପରିବାର ଅବଗତ ଥିଲେ। ଏପରିସ୍ଥଳେ କିଛିଦିନ ପୂର୍ବରୁ ଯୁବତୀଙ୍କ ଅନ୍ୟତ୍ର ବିବାହ ସ୍ଥିର ହୋଇଥିଲା। ଏହାକୁ ନେଇ ଅଶୋକ ଚିନ୍ତାରେ ଥିଲେ। ବୁଧବାର ଯୁବତୀ ଜଣକ ଫୋନ କରି ଅଶୋକଙ୍କୁ ଡାକିଥିଲେ। ବିବାହ ୧୯ ତାରିଖରେ ରହିଛି, ତେଣୁ କୁଆଡେ ଫେରାର ହୋଇଯିବାକୁ କହିଥିଲେ। ଅଶୋକ ୨ ସାଙ୍ଗଙ୍କ ସହ ଯୁବତୀଙ୍କ ଘରକୁ ଆସିଥିଲେ। ସାଙ୍ଗମାନେ ତାଙ୍କୁ ଘର ବାରିପଟେ ଛାଡି ଚାଲିଯାଇଥିଲେ। ସକାଳୁ ଅଶୋକ ଘରକୁ ନ ଆସିବରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ଅଶୋକଙ୍କ ସାଙ୍ଗମାନଙ୍କଠାରୁ ସୂଚନା ପାଇ ଯୁବତୀଙ୍କ ଘରକୁ ଯାଇ ଖୋଜିବାରୁ ବାରିପଟେ ମୃତଦେହ ପଡିଥିବା ଦେଖିଥିଲେ। ଅଶୋକଙ୍କ ଶରୀରରେ କ୍ଷତ ଚିହ୍ନ ଥିବାବେଳେ ମୁହଁରେ ଗାମୁଛା ଘୋଡାଯାଇଥିଲା। ଏ ସମ୍ପର୍କରେ ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଥିଲେ, ମୃତଦେହ ଜବତ କରାଯାଇଛି। ଶରୀରରେ ସାମାନ୍ୟ କ୍ଷତ ରହିଛି। ହତ୍ୟା ନା ଆତ୍ମହତ୍ୟା ଜଣାପଡି ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଯିବ। ଅଭିଯୋଗ କ୍ରମେ ଯୁବତୀଙ୍କ ପରିବାର ବର୍ଗଙ୍କୁ ଅଟକ ରଖାଯାଇଛି।

Share