Categories: ଜାତୀୟ

ଷ୍ଟାଲିନଙ୍କ ସପକ୍ଷରେ ବାହାରିଲେ ଖାର୍ଗେଙ୍କ ପୁଅ: କହିଲେ, ଯେଉଁ ଧର୍ମରେ ସମାନତା ନାହିଁ ତାହା ଏକ ରୋଗ ଭଳି

ବେଙ୍ଗାଲୁରୁ,୪।୯: ତାମିଲନାଡୁ ଡିଏମକେ ସରକାରର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଉପରେ ରାଜନୈତିକ ବାକ୍‌ଯୁଦ୍ଧ ଜାରି ରହିଛି। ସେ ସନାତନ ଧର୍ମ ବିଲୋପ କରିବା ବିଷୟରେ କହିଥିଲେ। ଏହି ମନ୍ତବ୍ୟ ପାଇଁ ତାଙ୍କୁ ସମାଲୋଚନା କରାଯାଉଛି। ବର୍ତ୍ତମାନ କର୍ନାଟକ ସରକାରୀ ମନ୍ତ୍ରୀ ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟାଙ୍କ ଖାର୍ଗେ ଷ୍ଟାଲିନଙ୍କୁ ସମର୍ଥନ କରିଛନ୍ତି।
ପ୍ରିୟାଙ୍କ କହିଛନ୍ତି ଯେ, ଯେକୌଣସି ଧର୍ମ ଅସମାନତାକୁ ପ୍ରୋତ୍ସାହିତ କରେ ଏବଂ ମଣିଷ ହେବାର ଗରିମାକୁ ଉଲ୍ଲଂଘନ କରେ। ତେଣୁ ତାହା ଧର୍ମ ନୁହେଁ। ମୋ ଅନୁଯାୟୀ ଯେକୌଣସି ଧର୍ମ ଯାହା ସମାନ ଅଧିକାର ଦେଇ ନ ଥାଏ କିମ୍ବା ମଣିଷକୁ ମଣିଷ ଭଳି ବ୍ୟବହାର କରେ ନାହିଁ, ତାହା ଏକ ରୋଗ ଭଳି।
ଡିଏମ୍‌କେ ଯୁବ ଶାଖାର ସମ୍ପାଦକ ତଥା ତାମିଲନାଡୁ ଯୁବକଲ୍ୟାଣ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏକ କାର୍ଯ୍ୟକ୍ରମ ଯୋଗଦେଇ କହିଥିଲେ, ସନାତନ ଧର୍ମ ସମାନତା ଏବଂ ସାମାଜିକ ନ୍ୟାୟ ବିରୋଧୀ। ତେଣୁ ତାହାର ବିଲୋପ ହେବା ଆବଶ୍ୟକ। ସେ ସନାତନ ଧର୍ମକୁ କରୋନା ଭୂତାଣୁ, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ୱର ସହ ତୁଳନା କରି ଏହାକୁ ବିରୋଧ ନୁହେଁ, ନଷ୍ଟ କରିଦିଆଯିବା ଆବଶ୍ୟକ ବୋଲି କହିଛନ୍ତି।

Share