କାନାଡା ଶିଖ୍‌ଙ୍କ ଭାରତ ବିରୋଧୀ ବିକ୍ଷୋଭ

ଟରଣ୍ଟୋ,୨୭ା୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାରେ ନୂଆଦିଲ୍ଲୀର ଭୂମିକା ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଭିଯୋଗ ଆଣିବାର ସପ୍ତାହେ ପରେ ସେଠାରେ ଥିବା ଭାରତୀୟ କୂଟନୈତିକ ମିଶନ ବାହାରେ ଶହ ଶହ ସଂଖ୍ୟାରେ ଶିଖ୍‌ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ନଷ୍ଟ କରିବା ସହ ଭାରତୀୟ ପତାକା ପୋଡ଼ିଥିଲେ। ଆମେ ପଞ୍ଜାବ ଫେରିବା ନିରାପଦ ନୁହେଁ, ଆମେ କାନାଡାରେ ମଧ୍ୟ ସୁରକ୍ଷିତ ନୋହୁଁ ବୋଲି ଟରଣ୍ଟୋରେ ଶିଖ୍‌ ସମ୍ପ୍ରଦାୟର ସଦସ୍ୟ ଜୋ ହୋଥା କହିଛନ୍ତି। ନିଜ୍ଜର ହତ୍ୟାରେ ଭାରତର ଏଜେଣ୍ଟ ସମ୍ପୃକ୍ତ ବୋଲି ପ୍ରଧାନମନ୍ତ୍ରୀ ଟ୍ରୁଡୋ ପାର୍ଲାମେଣ୍ଟରେ କହିସାରିଥିବାରୁ ଆଉ କ୍ଷମା ନାହିଁ ବୋଲି ଶିଖ୍‌ ବିକ୍ଷୋଭକାରୀ ହରପାର ଗୋସାଲ କହିଛନ୍ତି। ଭାରତୀୟ ଆତଙ୍କବାଦୀ ଆମ ଭାଇଙ୍କୁ ଭାଙ୍କୋଭରରେ ହତ୍ୟା କରିଥିବାରୁ ଆବେ ଭାରତୀୟ ବାଣିଜି୍ୟକ ଦୂତାବାସ ବାହାରେ ବିକ୍ଷୋଭ କରୁଛୁ ବୋଲି କାନାଡାର ଶିଖ୍‌ମାନେ କହିଛନ୍ତି। ବିକ୍ଷୋଭକାରୀମାନେ ହାତରେ ଖଲିସ୍ତାନୀ ପତାକା ଧରିଥିଲେ। ଟରଣ୍ଟୋ ସମେତ ଓଟାଓ୍ବା ଏବଂ ଭାଙ୍କୋଭରରେ ମଧ୍ୟ ବିକ୍ଷୋଭ କରାଯାଇଛି।

Share