ଜନସଂଖ୍ୟା ଅନୁପାତରେ ପଛୁଆବର୍ଗ ମହିଳାଙ୍କୁ ୩୩% ସଂରକ୍ଷଣ ମିଳୁ: କଂଗ୍ରେସ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଛୁଆ ବର୍ଗ ମହିଳାଙ୍କ ପାଇଁ ପାର୍ଲାମେଣ୍ଟରେ ଯେଉଁ ଦାବି ଉପସ୍ଥାପନ କରିଛନ୍ତି ତାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସମ୍ପୂର୍ଣ୍ଣ ସମର୍ଥନ କରୁଛି। ବୁଧବାର ଲୋକ ସଭାରେ ଯେଉଁ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରାଗଲା ତାହା କଂଗ୍ରେସର ଅନୁଚିନ୍ତା। ଏବେ ଯେଉଁ ମହିଳା ସଂରକ୍ଷଣ ବିଲ୍‌ କେନ୍ଦ୍ର ସରକାର ପାରିତ କଲେ ତାହା ଜନସଂଖ୍ୟା ଅନୁପାତରେ ପଛୁଆବର୍ଗ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଉ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
କଂଗ୍ରେସ ଭବନଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଶରତ କହିଛନ୍ତି, ମହିଳାଙ୍କୁ ପଞ୍ଚାୟତ ଓ ନଗରପାଳିକାରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ ରଖିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୮୯ରେ ୭୩ ଓ ୭୪ ତମ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପି.ଭି.ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ୧୯୯୩ରେ ଏହି ବିଲ୍‌କୁ ଆଇନରେ ପ୍ରଣୟନ କରାଯାଇଥିଲା। ଏହି ଆଇନ ବଳରେ ବର୍ତ୍ତମାନ ୧୫ ଲକ୍ଷରୁ ଅଧିକ ମହିଳା ଭାରତବର୍ଷରେ ବିଭିନ୍ନ ପଞ୍ଚାୟତ ଓ ନଗରପାଳିକାକୁ ନିର୍ବାଚିତ ହୋଇ କାର୍ଯ୍ୟଭାର ଦକ୍ଷତାର ସହ ତୁଲାଉଛନ୍ତି। ୨୦୧୦ ମାର୍ଚ୍ଚରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ମହିଳା ସଂରକ୍ଷଣ ବିଲ୍‌କୁ ରାଜ୍ୟ ସଭାରେ ପାରିତ କରାଗଲା। କଂଗ୍ରେସ ମହିଳାଙ୍କୁ ଲୋକ ସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ମିଳୁ ବୋଲି ବହୁବାର ପ୍ରୟାସ କରିଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏହି ବିଲ୍‌କୁ ଦୀର୍ଘ ୯ ବର୍ଷ ପର୍ଯ୍ୟନ୍ତ କାହିଁକି ଲୋକ ସଭାରେ ଆଗତ କଲେ ନାହିଁ। ଏବେ ଯେଉଁ ବିଲ୍‌ ପାସ୍‌ କରାଗଲା ତାହା ତୁରନ୍ତ କାର୍ଯ୍ୟକାରୀ କରାଯାଉ। ହେଲେ ଜନସଂଖ୍ୟା ଅନୁପାତରେ ପଛୁଆବର୍ଗ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଉ। ସେହିଭଳି ଅନୁସୂଚିତ ଜାତି ଓ ଜନଜାତିଙ୍କ ମହିଳା ଲୋକସଂଖ୍ୟା ଆଧାରରେ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଉ ବୋଲି କଂଗ୍ରେସ ଦାବି କରୁଛି। ୨୦୨୪ ସୁଦ୍ଧା ଏହା ଦେଶରେ ଲାଗୁ କରାଯାଉ ବୋଲି ଶରତ କହିଛନ୍ତି।

Share