ପାଟିର ବ୍ୟାକ୍ଟେରିଆ ଓ ଚୁଇଙ୍ଗମ

ଚୁଇଙ୍ଗମ ଚୋବାଇବା ଆଜିକାଲି ଅନେକଙ୍କର ଏକ ଅଭ୍ୟାସ ପାଲଟି ଗଲାଣି। ହେଲେ ଏହାର ଏକ ଭଲ ଗୁଣ ରହିଛି ବୋଲି ପ୍ରକାଶ କରିଛନ୍ତି ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ, ଚୁଇଙ୍ଗମ ଚୋବାଇବା ଦ୍ୱାରା ପାଟି ଭିତରେ ଥିବା କେତେକ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଆନ୍ତି। ସେମାନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ଅତିକମ୍‌ରେ ୧୦ ମିନିଟ୍‌ ଚୁଇଙ୍ଗମ ଚୋବାନ୍ତି, ତା’ହେଲେ ତାଙ୍କର ପାଟି ଭିତରେ ଥିବା ପ୍ରାୟ ୧୦୦ ମିଲିୟନ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଆନ୍ତି। ଏହି ଗବେଷଣା ସମୟରେ ସେମାନେ କିଛି ବ୍ୟକ୍ତିଙ୍କୁ ପାଖାପାଖି ୧୦ ମିନିଟ୍‌ ଚୁଇଙ୍ଗମ ଚୋବାଇବାକୁ ପରାମର୍ଶ ଦେଇଥିଲେ। ତା’ପରେ ସେମାନେ ଚୋବାଇଥିବା ଚୁଇଙ୍ଗମକୁ ନେଇ ଏକ ଜୀବାଣୁ ବିହୀନ ପାଣିରେ ପକାଇ ସ୍କାନିଂ ଇଲେକ୍ଟ୍ରୋ ମାଇକ୍ରୋସ୍କୋପି ଦ୍ୱାରା ସେଥିରେ ଶତାଧିକ ବ୍ୟାକ୍ଟେରିଆ ଥିବାର ଦେଖିବାକୁ ପାଇଥିଲେ।