Categories: ଜାତୀୟ

ଖରାପ ଗୋଳାବାରୁଦ ଯୋଗାଣ: ସ୍ଥଳସେନାର କ୍ଷତି ହୋଇଛି ୯୬୦ କୋଟି

ନୂଆଦିଲ୍ଲୀ, ୩୦।୯: ଏଲ୍‌ଓସି ଏବଂ ଏଲ୍‌ଏସିରେ ପାକିସ୍ତାନ-ଚାଇନା ସହିତ ଭାରତକୁ ସବୁବେଳେ ମୁହାଁମୁହିଁ ସ୍ଥିତିରେ ରହିବାକୁ ପଡୁଛି। ଏପରିସ୍ଥଳେ ଅର୍ଡିନାନ୍ସ୍‌ ଫ୍ୟାକ୍ଟ୍ରି ବୋର୍ଡ(ଓଏଫ୍‌ବି) ପକ୍ଷରୁ ସ୍ଥଳସେନାକୁ ଯୋଗାଇ ଦିଆଯାଇଥିବା ଖରାପ ଗୋଳାବାରୁଦ ଯୋଗୁ ୯୬୦ କୋଟି ଟଙ୍କାର କ୍ଷତି ହୋଇଛି। ଏନେଇ ସ୍ଥଳସେନା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୪ରୁ ୨୦୨୦ ମଧ୍ୟରେ ଗତ ୬ ବର୍ଷରେ ଏଭଳି କ୍ଷତି ହୋଇଛି। ଓଏଫ୍‌ବି ଅର୍ନ୍ତଗତ ୪୧ ଅର୍ଡିନାନ୍ସ୍‌ ଫ୍ୟାକ୍ଟ୍ରି, ୧୩ ଡେଭଲପ୍‌ମେଣ୍ଟ୍‌ ସେଣ୍ଟର ଏବଂ ୯ଟି ଲର୍ଣ୍ଣିଂ ଇନଷ୍ଟିଚ୍ୟୁଟ୍‌ କାର୍ଯ୍ୟ କରୁଛି। ସ୍ଥଳସେନା ପାଇଁ ଆବଶ୍ୟକ ସାମଗ୍ରୀ ଅର୍ଡିନାନ୍ସ୍‌ ଫ୍ୟାକ୍ଟ୍ରି ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। କ୍ଷତି ହୋଇଥିବା ଟଙ୍କାରେ ପ୍ରାୟ ୧୦୦ଟି ଛୋଟ ତୋପ କିଣାଯାଇ ପାରିଥାନ୍ତା ବୋଲି ରିପୋର୍ଟରେ କୁହାଯାଇଛି। ଖରାପ ଗୋଳାବାରୁଦ ଯୋଗୁ ୬ ବର୍ଷରେ ୪୦୩ ଦୁର୍ଘଟଣାରେ ୨୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୫୯ ଆହତ ହୋଇଛନ୍ତି। ଓଏଫ୍‌ବିର କାର୍ଯ୍ୟ ଶୈଳୀକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାକୁ କର୍ପୋରେଟାଇଜ୍‌ କରିବାର ଯୋଜନା କରାଯାଉଛି। ଏଥିପାଇଁ ଏକ ଘରୋଇ କମ୍ପାନୀ ସହିତ ଆଲୋଚନା କରାଯାଇଥିବା କୁହାଯାଉଛି।

Share