Categories: ଖେଳ

କ୍ରିକେଟ୍‌ ପାଇଁ ପୁଣି ଖରାପ ଖବର

ନୂଆଦିଲ୍ଲୀ,୧୭।୩: ପୁଣି କରୋନା ମହାମାରୀ ଫେରିବା ପରେ ସାରା ଦେଶରେ କଟକଣା ଜାରି କରାଯାଇଛି। ଦେଶର ଅନେକ ସହରରେ ଲକଡାଉନ ଲାଗୁ କରାଯାଇଛି, ଯାହା କ୍ରୀଡା ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଇଛି। ପୂର୍ବରୁ ଅହମ୍ମଦାବାଦରେ ଚାଲିଥିବା ଭାରତ-ଇଂଲଣ୍ଡ ଟି -୨୦ ସିରିଜରେ ଦର୍ଶକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏବେ ବିସିସିଆଇ ଆଉ ଏକ ପ୍ରମୁଖ ପଦକ୍ଷେପ ନେଇଛି। ବିସିସିଆଇ ଘରୋଇ ଟୁର୍ନାମେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। କଡ଼ା କ୍ୱାରାଣ୍ଟାଇନ୍‌ ନିୟମ ଅନୁସରଣ କରି ମ୍ୟାଚ ପରିଚାଳନା କରିବା ପାଇଁ ପୁରା ଦଳ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରିବା ଜରୁରୀ। ବାୟୋ-ବବୁଲ ସୃଷ୍ଟି କରିବାକୁ ପଡିବ। ଯାହା ସାମ୍ପ୍ରତିକ ପରିସ୍ଥିତିରେ ବିପଦରୁ ମୁକ୍ତ ନୁହେଁ । ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ ଆଇପିଏଲ ୨୦୨୧ ପରେ ଏହି ଟୁର୍ନାମେଣ୍ଟ ଆୟୋଜନ ପାଇଁ ବୋର୍ଡ ପରେ ନିଷ୍ପତ୍ତି ନେବ। ଜୟ ଶାହା ଏକ ଚିଠିରେ ଲେଖିଛନ୍ତି ଯେ ଦେଶବ୍ୟାପୀ ଲକଡାଉନ ଯୋଗୁ ୨୦୨୦-୨୧ର ଘରୋଇ ସିଜିନ ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ ସୟଦ ମୁସ୍ତାକ ଅଲି ଟ୍ରଫି ଏବଂ ଆଇପିଏଲ ନିଲାମ ପରେ ବୋର୍ଡ ବିଜୟ ହଜାରେ ଟ୍ରଫିକୁ ସଫଳତାର ସହ ଆୟୋଜନ କରିଛି। ଦକ୍ଷିଣ ଆଫ୍ରିକା ମହିଳା ଦଳର ଭାରତ ଗସ୍ତ ମଧ୍ୟ ୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଖେଳାଳିଙ୍କ ସୁରକ୍ଷା ଆମର ପ୍ରାଥମିକ ଦାୟିତ୍ୱ ବୋଲି ସେ କହିଛନ୍ତି।

Share