Categories: ଜାତୀୟ

ବାୟୁ ସେନା ଚପର ଦୁର୍ଘଟଣାର ତଦନ୍ତ ଶେଷ

ନୂଆଦିଲ୍ଲୀ,୨।୧: ଗତ ଡିସେମ୍ବର ୮ ତାରିଖରେ ଘଟିଥିବା ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍‌ ଡିଫେନ୍ସ ଷ୍ଟାଫ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ ଓ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବାୟୁ ସେନାର ତଦନ୍ତ ପ୍ରାୟତଃ ଶେଷ ହୋଇଯାଇଛି। ଏହାର ରିପୋର୍ଟ ଖୁବ୍‌ ଶୀଘ୍ର ଦାଖଲ କରାଯିବ।

ଏହି ଦୁର୍ଘଟଣା ପଛର କାରଣ ଉପରେ ଏପର୍ଯ୍ୟନ୍ତ ବାୟୁ ସେନା କିମ୍ବା ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ। କିନ୍ତୁ ସୂତ୍ରରୁ କୁହାଯାଇଛି, ଖରାପ ପାଣିପାଗ ଯୋଗୁ ଭିଜିବିଲିଟି (ଦୃଶ୍ୟମାନ) ହାର ହ୍ରାସ ପାଇଥିଲା। ଆଉ ଏହା ହିଁ ଦୁର୍ଘଟଣା ପଛର କାରଣ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି।

ଦେଶର ଅନ୍ୟତମ ଶ୍ରେଷ୍ଠ ହେଲିକପ୍ଟର ପାଇଲଟ୍‌ ଏୟାର ମାର୍ଶାଲ ମାନବେନ୍ଦ୍ର ସିଂଙ୍କ ନେତୃତ୍ୱାଧୀନ କମିଟି ତାମିଲନାଡୁର ନୀଳଗିରି ପାହଡରେ ଘଟିଥିବା ଦୁର୍ଘଟଣାର ତଦନ୍ତ କରିଥିଲା। ତାଙ୍କ ତଦନ୍ତ ଅନୁଯାୟୀ, ଏମ୍‌ଆଇ-୧୭ଭି୫ ହେଲିକପ୍ଟର ଚାଳକ ଖରାପ ପାଣିପାଗ ଯୋଗୁ କିଛି ଦେଖିପାରି ନ ଥିଲେ। ଦୁର୍ଘଟଣା ବଶତଃ ସେ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହାକୁ ସିଏଫ୍‌ଆଇଟି କୁହାଯାଏ। ତେବେ ଦୁର୍ଘଟଣା ପଛରେ ଟେକନିକାଲ ଏରର କିମ୍ବା ଯାନ୍ତ୍ରିକ ତ୍ରୁଟି ନ ଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ସୂତ୍ରରୁ କୁହାଯାଇଛି।

ରିପୋର୍ଟ ଚୂଡ଼ାନ୍ତ ପ୍ରସ୍ତୁତିରେ ତଦନ୍ତକାରୀ ଦଳକୁ ବର୍ତ୍ତମାନ ବାୟୁ ସେନାର ଆଇନ ବିଭାଗ ପରାମର୍ଶ ଦେଉଛି। ଏହି ରିପୋର୍ଟ ଆଗାମୀ ୫ ଦିନ ମଧ୍ୟରେ ଏୟାର ଚିଫ୍‌ ମାର୍ଶଲ ଭି ଆର ଚୌଧାରୀଙ୍କ ନିକଟରେ ଦାଖଲ କରାଯିବ ବୋଲି ଆଶା କରାଯାଉଛି।

Share