Categories: ଜାତୀୟ

ଖରାପ ପାଗ: ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ

ଲକ୍ଷ୍ନୌ, ୨୧।୯: ଖରାପ ପାଗ ଯୋଗୁ ଉତ୍ତରପ୍ରଦେଶରେ ସୋମବାର ଇନ୍ଦିରାଗାନ୍ଧୀ ଉଡ଼ାଣ ଏକାଡେମୀର ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ୨୧ ବର୍ଷ ବୟସ୍କ ଟ୍ରେନିଂ ପାଇଲଟଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଆଜମଗଡ଼ର ସରାୟମୀର ଥାନା ଅଞ୍ଚଳରେ ପୂର୍ବାହ୍ନ ୧୧ଟା ୩୦ରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ମଝି ଆକାଶରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ପ୍ରଚଣ୍ଡ ବିସ୍ଫୋରଣ ସହିତ ଏହା ଜଳି ଯାଇଥିଲା। ଏହାପରେ ଚାଷ ଜମିର କାଦୁଅ ମଧ୍ୟରେ ହେଲିକପ୍ଟରର ଭଗ୍ନାବଶେଷ ପଡ଼ିଥିଲା। ଶବ୍ଦ ଶୁଣି ଗ୍ରାମବାସୀମାନେ ଦୁର୍ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଖବର ପାଇ ନିକଟସ୍ଥ ସରାୟମୀର ଥାନା ସମେତ ଅନ୍ୟ ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପାଇଲଟଙ୍କ ସହିତ ଥିବା ଅନ୍ୟ ବ୍ୟକ୍ତିଙ୍କର କୌଣସି ଖୋଜ ଖବର ମିଳି ନ ଥିବା ପୋଲିସ କହିଛି। ସେ ପରାଚ୍ୟୁଟରେ ଓହ୍ଲାଇ ପଡ଼ିଥିବା ଦେଖଣାହାରୀମାନେ ପ୍ରକାଶ କରିଛନ୍ତି। ତେବେ ଏଥିରେ କେବଳ ଜଣେ ଟ୍ରେନିଂ ପାଇଲଟ ଥିଲେ ବୋଲି ଇନ୍ଦିରାଗାନ୍ଧୀ ଉଡ଼ାଣ ଏକାଡେମୀ ପକ୍ଷରୁ କୁହାଯାଇଛି। ପୋଲିସ ପକ୍ଷରୁ ଘେରାବନ୍ଦୀ କରାଯାଇ ତଦନ୍ତ ଜାରି ରହିଛି ବୋଲି ଜିଲାପାଳ ରାଜେଶ କୁମାର କହିଛନ୍ତି।

Share