Categories: ଜାତୀୟ

ବାଦଲଫଟା ବର୍ଷା: ସୋଲନରେ ୭ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…

ସୋଲନ,୧୪।୮ : ହିମାଚଳ ପ୍ରଦେଶରୁ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ସୋଲାନ ଜିଲାରେ ବାଦଲଫଟା ବର୍ଷା ହୋଇଛି। ଜିଲାର କାନ୍ଦାଘାଟ ସବ-ଡିଭିଜନର ମମଲିଗ ଉପ-ତହସିଲର ଜାଡନ ଗ୍ରାମରେ ରାତ୍ର ସାଢ଼େ ଗୋଟାଏ ସମୟରେ ଦୁଇ ଘର ଏବଂ ଗୋଟିଏ ଗୋଶାଳ ବନ୍ୟା ଜଳରେ ଭାସି ଯାଇଛି। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଚାରୋଟି ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କ ସନ୍ଧାନ ଜାରି ରହିଛି ।

ଦୁଇ ପରିବାର ସଦସ୍ୟ ରିତୁ ରାମ ଏବଂ କମଲେଶଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷାରେ ମାଟି ଧସି ଉଭୟ ପାର୍ଶ୍ୱରୁ ରାସ୍ତା ଭାଙ୍ଗି ଯାଇଛି ଏବଂ ଏହି କାରଣରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଉଦ୍ଧାରକାରୀ ଦଳ ପାଦରେ ଘଟଣାସ୍ଥଳରେ ପହଞ୍ଚି ଚାରିଟି ମୃତଦେହକୁ ଉଦ୍ଧାର କରିଛନ୍ତି। ଜଣେ ଛୋଟ ଝିଅର ମୃତଦେହ ମଧ୍ୟ ଅଳିଆ ଆବର୍ଜନାରୁ ଉଦ୍ଧାର କରାଯାଇଛି। ଏହି ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି। ହିମାଚଳ ପ୍ରଦେଶର ପାଣିପାଗ ବିଭାଗ ଦ୍ୱାରା ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
୭ ଜଣଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଟୁଇଟରରେ ଶୋକ ପ୍ରକାଶ କରିଛନ୍ତି। ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Share