ପୋଲିସ ହେପାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣା: ବଦଳିଲେ ବଡବିଲ ଥାନା ଅଧିକାରୀ

କେନ୍ଦୁଝର:୨।୨ (ସ୍ବ.ପ୍ର.): ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ବଡବିଲ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁଙ୍କ ବଦଳି ହୋଇଛି। ସେ ଡବଲ ମର୍ଡର ଘଟଣାର ତଦନ୍ତକାରୀ ଅଧିକାରୀ ଥିଲେ। ରବିବାର ଡବଲ ମର୍ଡର ଘଟଣାର ଅଭିଯୁକ୍ତ ମିଲୁ ବାରିକଙ୍କୁ ଧରି ରୁଗୁଡି ଥାନାକୁ ଜେରା କରିବାକୁ ପୋଲିସ ଅଧିକାରୀ ନେଇଥିଲେ।  ସେଠାରେ ସେ ଅସୁସ୍ଥ ହେବାରୁ ଯୋଡା ଥାନା ଅନ୍ତର୍ଗତ ଟିସ୍କୋ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।  ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ତାଙ୍କୁ ପୋଲିସ ମାଡ ମାରି ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ।
ଅନ୍ୟପକ୍ଷେ, ମିଲୁ ଖସି ପଳାଉଥିବା ବେଳେ ପଡି ଆହତ ହୋଇଥିଲେ , ତେଣୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଉଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ା ତାଙ୍କ ଗୋଡ ଓ ଦେହରେ ଥିବା ରକ୍ତାକ୍ତ ଦାଗ ପୋଲିସ ମାଡ ମାରିଥିବା ପ୍ରମାଣ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣା ଜାତୀୟ ମାନବାଧିକାର କମିଶନଧଙ୍କ ନିକଟରେ ପହଞ୍ଚିବା ପରେ ଏସପି କେନ୍ଦୁଝର ମିତ୍ରଭାନୁ ମହାପାତ୍ର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଜିଲା ଜଜ୍‌ଙ୍କୁ ନିବେଦନ କରିଥିଲେ। ଗୁରୁବାର କେନ୍ଦୁଝର ଏସପି ପୋଲିସ ଇନ୍ସପେକ୍ଟର (ଥାନା ଅଧିକାରୀ) ସ୍ତରରେ ଅଦଳବଦଳ କରିଥିବା ବେଳେ ବଡବିଲ ଥାନା ଅଧିକାରୀଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ କେନ୍ଦୁଝର ଟାଉନ ଥାନା ଅଧିକାରିଣୀ ପ୍ରମୋଦିନି ସାହୁଙ୍କୁ ନିଯୁକ୍ତି କରାଯାଇଛି। ସେହିପରି ସଦର ଥାନା ଅଧିକାରୀ ସୁନିଲ କରଙ୍କ ବଦଳି ଟାଉନ ଥାନାକୁ ହୋଇଥିବା ବେଳେ ଆନନ୍ଦପୁର ଥାନା ଅଧିକାରୀ ସୁଶାନ୍ତ ଦାସଙ୍କ ବଦଳି ସଦର ଥାନାକୁ ହୋଇଛି। ହରିଚନ୍ଦନପୁର ଥାନା ଅଧିକାରୀ ଦେବକୀ ନାଏକଧଙ୍କ ବଦଳି ଆନନ୍ଦପୁର ଥାନାକୁ ହୋଇଥିବା ବେଳେ ମୁଖ୍ୟାଳୟରେ ଥିବା ପ୍ରଫୁଲ ବାର୍ଲାଙ୍କ ବଦଳି ହରିଚନ୍ଦନପୁର ଥାନାକୁ ହୋଇଥିବା ଜଣାପଡିଛି।

Share