‘ବଧାଇ ହୋ’ ପରେ ଆସୁଛି ‘ବଧାଇ ଦୋ’, ପ୍ରଥମଥର ନଜର ଆସିବେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍କାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ର ସିକ୍ବେଲ ‘ବଧାଇ ଦୋ’ ଆସନ୍ତା ଜାନୁୟାରୀରେ ଶୁଟିଂ ହେବ। ‘ବଧାଇ ହୋ’ର ସଫଳତାକୁ ଦେଖି ଏହାର ସିକ୍ବେଲ ପ୍ରସ୍ତୁତ କରାଯାଇଛି।

‘ବଧାଇ ହୋ’ର ଦୁଇବର୍ଷ ପରେ ନିର୍ମାତା ଏହାର ସିକ୍ୱେଲ ଘୋଷଣା କରିଛନ୍ତି। ପୂର୍ବରୁ କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ନିର୍ମାତା ଫିଲ୍ମକୁ ନେଇ ସ୍ପଷ୍ଟ କରିଛନ୍ତି। ଏଥର ମଧ୍ୟ କାହାଣୀ ଉପରେ ଧ୍ୟାନ ଦିଆଯିବ। କିଛି ଅଲଗା ଦେଖାଇବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରଥମଥର ପାଇଁ ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ରାଜକୁମାର ଏଥିରେ ଜଣେ ପୋଲିସ ଇନ୍ସପେକ୍ଟର ଭୂମିକାରେ ନଜର ଆସିବେ। ସେହିପରି ଭୂମିଙ୍କୁ ଜଣେ ପିଇଟି ଶିକ୍ଷକ ଭୂମିକାରେ ଦେଖିବାକୁ ମିଳିବ।

ରାଜକୁମାର ‘ବଧାଇ ଦୋ’ ବିଷୟରେ କୁହନ୍ତି, ମୁଁ ଖୁସି ଯେ, ଜୀବନ ପୁଣି ଆରମ୍ଭ ହୋଇଛି। ଏହା ମୋ ପାଇଁ ଏକ ସ୍ବତନ୍ତ୍ର ଫିଲ୍ମ। ମୁଁ ଏହି ଚରିତ୍ରରେ ଅଭିନୟ କରି ବହୁତ ଖୁସି। ଯେଉଁଥିରେ ନିଜର ସଂଘର୍ଷ ଜୀବନ କାହାଣୀ ରହିଛି। ତେଣୁ ଚରିତ୍ରକୁ ପ୍ରକାଶ କରିବା ମୋ’ ପାଇଁ ସହଜ ହେବ।

ସେହିପରି ଏହି ଫିଲ୍ମ ବିଷୟରେ ଭୂମି କୁହନ୍ତି, ମୁଁ ପ୍ରଥମ ଥର ପାଇଁ ରାଜକୁମାରଙ୍କ ସହ କାମ କରୁଛି। ବେଶ୍‌ ଉତ୍ସାହିତ ଅଛି। କାରଣ ଖୁବ୍‌ଶୀଘ୍ର ଆମେ ଶୀଘ୍ର ଶୁଟିଂ ଆରମ୍ଭ କରିବୁ। ‘ବଧାଇ ହୋ’ ମୋର ପ୍ରିୟ ଫିଲ୍ମ ମଧ୍ୟରୁ ଗୋଟିଏ। ଏହାର ସିକ୍ୱେଲକୁ ନେଇ ମୁଁ ବହୁତ ଖୁସି।

‘ବଧାଇ ଦୋ’ର ନିର୍ଦ୍ଦେଶକ ହର୍ଷବର୍ଦ୍ଧନ କୁଲକର୍ଣ୍ଣି କୁହନ୍ତି, କରୋନା ଅବଧି ସମୟରେ ତାଙ୍କ ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛି। ସେ କହୁନ୍ତି, ଫିଲ୍ମର କାହାଣୀ ଖୁବ୍‌ ମଜାଦାର। ଫିଲ୍ମଟିକୁ ସପରିବାର ବସି ଦେଖିପାରିବେ। ରାଜକୁମାର ରାଓ ଏବଂ ଭୂମିଙ୍କ ପ୍ରତି ତାଙ୍କର ଆତ୍ମବିଶ୍ୱାସ ରହିଛି। ତାଙ୍କ କହିବାନୁସାରେ, ଏତେ ବଡ଼ କାଷ୍ଟ ସହିତ କାମ କରିବା ବଡ଼ କଥା।

Share