Categories: ଖେଳ

ବ୍ୟାଡ୍‌ମିଣ୍ଟନ, ଆଥଲେଟିକ୍ସ ଦଳ ଚାଇନା ଗଲା

ଭୁବନେଶ୍ୱର, ୨୭।୭(ତପନ ସ୍ବାଇଁ): ଓ୍ବାଲର୍‌ଡ ୟୁନୁଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରିବାପାଇଁ ଓଡ଼ିଶାର ବ୍ୟାଡ୍‌ମିଣ୍ଟନ ଖେଳାଳି ଓ ଆଥଲେଟିକ୍ସ ହାଇପରଫର୍ମାନ୍ସ ସେଣ୍ଟରର ଆଥଲେଟ୍‌ମାନେ ବୁଧବାର ଚାଇନାର ଚେଙ୍ଗଡୁ ଯାତ୍ରା କରିଛନ୍ତି। ଓଡ଼ିଶା ବ୍ୟାଡ୍‌ମିଣ୍ଟନର ଦୁଇ ଚର୍ଚ୍ଚିତ ଭଗୀନି ଋତପର୍ଣ୍ଣା ଓ ଶ୍ୱେତପର୍ଣ୍ଣା ପଣ୍ଡାଙ୍କ ସମେତ ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଓ କୈଳାସ ଚନ୍ଦ୍ର ଦାସ ଏବଂ କୋଚ୍‌ମାନେ ଆଥଲେଟ୍‌ଙ୍କ ସହ ଯାଇଛନ୍ତି। ”ଓଡ଼ିଶା ସରକାର କ୍ରୀଡ଼ା ଏବଂ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ପାଇଁ ଆଗଭର ଅଛନ୍ତି। ଏଥର ମଧ୍ୟ ଓଡ଼ିଶା ପ୍ରତିନିଧି ଦଳକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆ ଯାଇଛି। ସେମାନେ ଚାଇନାରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଆଶା ରହିଛି“ ବୋଲି ଓଡ଼ିଶା ଦଳର ଚାଇନା ଯାତ୍ରା ପୂର୍ବରୁ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ କୈଳାସ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି। ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି।

”ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଭାଗ ନେବାପାଇଁ ଓଡ଼ିଶା ଆଥଲେଟ୍‌ମାନେ ଯୋଗ୍ୟତା ଅର୍ଜନ କରିଥିବାରୁ ମୁଁ ବହୁତ ଖୁସି। ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସୁଯୋଗର ସଦ୍‌ବ୍ୟବହାର ପାଇଁ ଶୁଭେଚ୍ଛା ଜ୍ଞାପନ କରୁଛି। କିଟ୍‌, ସମ୍ବଲପୁର ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଆଥଲେଟ୍‌ମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ପାଇଁ ବଡ଼ ପ୍ଲାଟଫର୍ମ ପାଇଛନ୍ତି“ ବୋଲି ଶୈଳେନ୍ଦ୍ର କହିଛନ୍ତି। ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ୪୬ଟି ଦେଶର ୫୬୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ଦଳ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶା ଦଳରେ କିଟ୍‌ର ୧୪, ସମ୍ବଲପୁରର ୩ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଆଥଲେଟ୍‌ ସାମିଲ ଅଛନ୍ତି।

Share