କଟକ ସଦର,୭।୧୧ (ଡ଼ି.ଏନ.ଏ.): ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପର୍ବ ପାଳନ କରାଯିବ। ଏଥିପାଇଁ ଆଠଗଡ ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଧବଳେଶ୍ୱରଙ୍କ ପୀଠରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି ଅଧ୍ୟକ୍ଷତା କରିଥିଲେ। କରୋନା ଯୋଗୁ ଚଳିତବର୍ଷ ଏହି ପର୍ବକୁ ବିନା ଭକ୍ତରେ ପାଳନ କରାଯିବ। ଆସନ୍ତା ୨୮ ତାରିଖ ରାତିରୁ ମନ୍ଦିରରେ ବଡ଼ଓଷା ଭୋଗ ଲାଗିବା ପରେ ୨୯ ସକାଳୁ ଗଜଭୋଗ ସର୍ବସାଧରଣଙ୍କୁ ପ୍ରଦାନ କରାଯିବ। ପଞ୍ଚକର ପ୍ରଥମ ୩ ଦିନ ମହାପ୍ରଭୁଙ୍କ ବଡ଼ସିଂହାର ବେଶ, ଚତୁର୍ଥ ଓ ପଞ୍ଚମ ଦିନ ନାଗାର୍ଜୁନ ବେଶ ଏବଂ ପୂର୍ଣ୍ଣିମାରେ ଯୋଗୀ ବେଶ ଅନୁଷ୍ଠିତ ହେବ। ଭକ୍ତମାନଙ୍କ ସୁବିଧା ଲାଗି ଏହି ବେଶର ସିଧାପ୍ରସାରଣ ବ୍ୟବସ୍ଥା କରାଯିବ। ଏହି ୬ ଦିନ ମହାପ୍ରଭୁଙ୍କର ସମସ୍ତ ନୀତି ସେବାୟତମାନେ ବିଧି ଅନୁସାରେ କରିବେ। ସମସ୍ତ ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଦେବୋତ୍ତର ସହକାରୀ କମିଶନର ଦେବାଶିଷ ଦାସ, ଅତିରିକ୍ତ ଏସପି ପି.କେ. ଜେନା, ଏସ୍ଡିପିଓ ପ୍ରଶାନ୍ତ କୁମାର ମଲ୍ଲ, ଗୁରୁଡିଝାଟିଆ ଆଇଆଇସି ବିଜୟ କୁମାର ବିଶି, ଉପଖଣ୍ଡ ସୂଚନା ଅଧିକାରୀ ଶାରଦା ପ୍ରସନ୍ନ ମହାନ୍ତି , ମଞ୍ଚେଶ୍ୱର ସରପଞ୍ଚ ପ୍ରିୟବ୍ରତ ସାହୁ, ସମିତି ସଭ୍ୟ ଅଶୋକ ଖଟୁଆଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ତହସିଲଦାର ତପନ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ।