Advertisement

ରାଜା ଚକ୍ରଙ୍କୁ ନେଇ ବଦ୍ରିଙ୍କ ବିସ୍ଫୋରକ ବୟାନ, କହିଲେ ମୁଁ ଆଗରୁ ଏନେଇ ନବୀନ…

ଭୁବନେଶ୍ୱର,୧୩ା୩: ରାଜା ଚକ୍ର ଗୁରୁବାର ଗିରଫ ହେବା ପରେ ବରିଷ୍ଠ ନେତା ବଦ୍ରି ପାତ୍ର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ବଦ୍ରି କହିଛନ୍ତି, ଏନେଇ ମୁଁ ଆଗରୁ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କୁ ଜଣାଇଥିଲି। ଜିଲା ପ୍ରଶାସନ ପକ୍ଷରୁ ରାଜାଙ୍କୁ ପୂରା ପ୍ରୋତ୍ସାହନ ମିଳୁଥିଲା। ତତ୍କାଳୀନ ଜିଲାପାଳ, ଏସ୍‌ପି ମଧ୍ୟ ଏଥିରେ ସହଯୋଗ କରିଥିଲେ। ରାଜାଙ୍କ କଥାରେ ପୋଲିସ ପ୍ରଶାସନ ଚାଲିଥିଲା। ଏକା ରାଜାଙ୍କୁ ଧରିଲେ ଚଳିବନି, ଜିଲାପାଳ, ଏସ୍‌ପି ମଧ୍ୟ ସମ୍ପୃକ୍ତ। ତୁରନ୍ତ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ବଦ୍ରି କହିଛନ୍ତି।

ରାଜା ଚକ୍ର ଗିରଫ ହେବା ପରେ କଳା ସାମ୍ରାଜ୍ୟର ଗୁମର ଖୋଲଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ପ୍ରେସ୍‌ମିଟ୍‌ରେ ଶହ ଶହ କୋଟିର ଦୁର୍ନୀତି ଚିଠା ଖୋଲିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ୨୦୧୭ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଟଙ୍କା ଆୟ କରିଥିଲା ଏଜେନ୍ସି। ଏହା ଆୟଠାରୁ ଅଧିକ ବି ହୋଇପାରେ, ଅଡିଟ ହେଲେ ଆହୁରି ଗୁମର ଖୋଲିବ। ପାରିପାଶର୍‌ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଥିବା ବେଳେ କୌଣସି ପାରିପାଶର୍‌ବିକ ବିକାଶ ହୋଇନଥିବା ୨ ବିଡିଓ କହିଛନ୍ତି। ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପେମେଣ୍ଟ ହୋଇଥିବା ଜଣାପଡ଼ିଛି।

ପଚାରିବାରୁ ଜଣାପଡ଼ିଛି ଯେ, କୌଣସି ତେଲ ଦିଆଯାଇନି। ରାଜା ଚକ୍ରଙ୍କ ଗାଡ଼ିକୁ ଏସବୁ ତେଲ ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ଟଙ୍କା ବଣ୍ଟନ କରାଯାଇଛି। ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି। ଖାଲି ଏତିକି ନୁହେଁ ଶ୍ରମିକଙ୍କ ପାଉଣା ନାଁରେ ୭୪ କୋଟି ଟଙ୍କା ହଡ଼ପ କରାଯାଇଥିବା ତଦନ୍ତ ସମୟରେ ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share